ଘରପିଣ୍ଡାରୁ ଓହ୍ଲାଇଲେ ରାସ୍ତା କାଦୁଅ

ଡେରାବିଶ,୧ା୭(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ଗ୍ରାମକୁ ରାସ୍ତା ନାହିଁ। ମୁନ୍ଦାଏ ବର୍ଷା ହେଲେ ସାହି ଭିତର ରାସ୍ତାଟି ପାଣି କାଦୁଅରେ ଭର୍ତ୍ତି ହୋଇଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତ ଏଣ୍ଡର (ମହାନ୍ତି ସାହି) ୧୩ ନଂ. ୱାର୍ଡ଼ରେ। ଏହି ୱାର୍ଡ଼ରେ ଥିବା ୧୫ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘବର୍ଷ ହେଲା ଏହି ସମସ୍ୟା ଘେରରେ ରହିଛନ୍ତି। ଗାଁକୁ ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚଙ୍କଠାରୁ ଜିଲାପାଳଙ୍କ ଯାଏ କେତେ ଯେ ଗୁହାରି କଲେଣି ସେ ଦିଗରେ ପ୍ରଶାସନିକ ପଦକ୍ଷେପ କିନ୍ତୁ ଶୂନ। ପିଣ୍ଡାରୁ ଓହ୍ଲାଇଲେ କାଦୁଅରେ ଗୋଡ଼ ପଡ଼େ। ଗାଁରୁ ବାହାରକୁ ଯିବାକୁ ହେଲେ କାଦୁଅ ମଧ୍ୟରେ ଚାଲି ଚାଲି ୫୦୦ ଫୁଟ ଯାଏ ଗଲେ ରାସ୍ତାଟି ସଂଯୋଗ କରିଥିବା ଗାଁ ୮ ନଂ. କେନାଲ ବନ୍ଧ ରାସ୍ତା ଦେଇ ବାହାରକୁ ଯିବାକୁ ପଡ଼େ। ଏଥିସହ ଯଦି ଦି’ ଅସରା ବର୍ଷା ହୋଇଗଲା ଗ୍ରାମ ମଧ୍ୟରେ ଥିବା ପରିବାର ସଦସ୍ୟମାନେ କେବଳ ଘର ଭିତରେ ଅଟକି ରୁହନ୍ତି ବୋଲି ପୂର୍ବତନ ସରପଞ୍ଚ ରଜନୀକାନ୍ତ ମହାନ୍ତି କହିଛନ୍ତି। ଗାଁର ପ୍ରାଥମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ ଏହି ରାସ୍ତାଟି ବାଧକ ସାଜିଛି। ଏ ସମ୍ପର୍କରେ ଜିଲାପାଳଙ୍କ ଜନଶୁଣାଣି ଶିବିରଠାରୁ ଆରମ୍ଭ କରି ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ରାସ୍ତା ନିର୍ମାଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି କେବଳ ପାଣିରେ ଗାର ସଦୃଶ ହୋଇଛି। କେବଳ ସେତିକି ନୁହେଁ, ଗାଁରେ କୌଣସି ପୁଅ କିମ୍ବା ଝିଅର ବିବାହ ଉତ୍ସବ ବେଳେ ଯଦି ଦୁଇ ଅସରା ବର୍ଷା ହୋଇଗଲା ତେବେ ଗାଁକୁ ଆସୁଥିବା ବର, ଗାଁରୁ ବାହାରୁଥିବା ବରକନ୍ୟାଙ୍କ ପାଇଁ ଏହି ରାସ୍ତାଟି ଏକ ବିରାଟ ପ୍ରତିବନ୍ଧକ ସାଜିଥାଏ। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରେ ଏଭଳି ସମସ୍ୟା ଉପରେ ତାଙ୍କ ନିକଟରେ କୌଣସି ଖବର ନ ଥିଲା। ତେବେ ଖୁବ୍‌ଶୀଘ୍ର ସେ ଗ୍ରାମକୁ ଯାଇ ଅନୁଧ୍ୟାନ କରିବା ପରେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Share