Categories: ଅନୁଗୋଳ

ସେତୁ ସଂଯୋଗୀକରଣ ରାସ୍ତା ପାଇଁ ବାଟ ଫିଟିଲା

ଆଠମଲ୍ଲିକ, ୩୦।୬ଡି.ଏନ.ଏ.) ଆଠମଲ୍ଲିକ-ଧଳପୁର ମହାନଦୀ ସେତୁର ଆଠମଲ୍ଲିକ ପାର୍ଶ୍ୱ ସଂଯୋଗୀକରଣ ରାସ୍ତାରେ ଅଟକିଥିବା ବିବାଦୀୟ ୬୦ ମିଟର ରାସ୍ତା ନିର୍ମାଣ ପାଇଁ ସମାଧାନର ସୂତ୍ର ବାହାରିଛି। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଠମଲ୍ଲିକ ଥାନା ଅଧିକାରୀ ନିରୋଦ କୁମାର ଦାସ, ମହାନଦୀ ସେତୁ ଠିକା ସଂସ୍ଥାର ଟେକ୍ନିକାଲ ଟିମ୍‌ ଲିଡର ସଞ୍ଜୟ କୁମାର ମହାପାତ୍ର, ବୌଦ୍ଧ ପୂର୍ତ୍ତ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଭାତ କୁମାର ଦାସ, ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ, ସାମାଜିକ କର୍ମୀ ବିନୟ କୁମାର ପଟ୍ଟନାୟକ, ଲିପ୍ତିଙ୍ଗା ଗ୍ରାମବାସିନ୍ଦା ବିଭୂତି ରଥ, ପ୍ରକାଶ ବିଶି, ମନୋଜ କର, ରଞ୍ଜିତ ସାହୁ, ସତ୍ୟବାନ ସାହୁ, ନିନଞ୍ଜନ ରଣା ବୈଠକରେ ଭାଗ ନେଇଥିଲେ। ଅଟକିଥିବା ୬୦ ମିଟର ରାସ୍ତା ନିର୍ମାଣ ସହ ଗୋଲେଇ ଛକ ନିର୍ମାଣ ନିମନ୍ତେ ସହମତି ପ୍ରକାଶ ପାଇଥିଲା ବୋଲି ଆଇଆଇସି ନିରୋଦ କୁମାର ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସେତୁର ସଂଯୋଗୀକରଣ ରାସ୍ତାରେ ଗୋଲେଇ ଛକ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରୁଥିବାବେଳେ ଏ ନେଇ କିଛି ସମସ୍ୟା ଥିବାରୁ ୬୦ ମିଟର ରାସ୍ତା ନିର୍ମାଣ ହୋଇପାରୁ ନ ଥିଲା। ଏ ନେଇ ଗତ ୧୮ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ପ୍ରଶାସନ ବୈଠକ ଡାକି ଅଞ୍ଚଳବାସୀଙ୍କ ଦାବି ପୂରଣ କରିଥିବା ସୂଚନା ମିଳିଛି।