ବର୍ଷାରେ ଧୋଇଗଲା ରାସ୍ତା: ପାଣ୍ଡିଆବିଲି, ବୁଢ଼ାଙ୍ଗରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଖୋର୍ଦ୍ଧା ଅଫିସ/ଜଟଣୀ/ବାଣପୁର, ୧୮ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଦୟାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବର୍ଷାରେ ଜଟଣୀ ବ୍ଲକର ପାଣ୍ଡିଆବିଲି ଓ ବୁଢ଼ାଙ୍ଗରା ଗ୍ରାମକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ରାସ୍ତା ଧୋଇଯାଇଛି। ୨୦ଫୁଟର ଘାଈ ସୃଷ୍ଟି ହେବା ସହ ପାଣି ପ୍ରବାହିତ ହେଉଛି। ଏଥିଯୋଗୁ ଯାତାୟାତ ବ୍ୟାହତ ହେବା ସହ ଉକ୍ତ ଦୁଇ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଦୁର୍ଦ୍ଦଶା ମଧ୍ୟରେ ଏହି ଦୁଇ ଗ୍ରାମର ଲୋକେ ରହିଛନ୍ତି। କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଗ୍ରାମବାସୀ ଜଣାଇଛନ୍ତି। ଏହି ରାସ୍ତା ଉପରେ ୧୫ଟି ଗ୍ରାମର ପ୍ରାୟ ୧୦ହଜାର ଲୋକ ନିର୍ଭର କରିଥାନ୍ତି।
ସେହିପରି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧, ୨, ୧୩ ଏବଂ ୧୨ ନମ୍ବର ଓ୍ବାର୍ଡ ସମେତ ବିଭିନ୍ନ ରାସ୍ତା ଉପରେ ପାଣି ଜମି ରହିଛି। ବାଣପୁର ବ୍ଲକର ଦେଓଗାଁ, ଗାଲୁଆ, ଭେଟେଶ୍ୱର, ଭବାନୀପୁର, ଆୟତ୍ତପୁର ପଞ୍ଚାୟତର କେତେକ ଗ୍ରାମରେ ପାଣି ଜମି ରହିଛି। ଗାଲୁଆ ପଞ୍ଚାୟତର ଭୀମପୁର, ସାନହନ୍ତୁଆଡ ସମେତ ବାଲେଡିହ, ଭେଟେଶ୍ୱର, ମାଟିଆ ପୋଖରୀ, ଆୟତପୁର ରୋଡ, ବିଷ୍ଣୁଡିହ, ନନ୍ଦପୁର ପଞ୍ଚାୟତର ସୁନାକେରା, ମା’ ମେଘାମ୍ବରୀଙ୍କ ମନ୍ଦିର ନିକଟ ଆଦି ସ୍ଥାନରେ ବର୍ଷା ଜଳ ଜମିବାରୁ ଯାତାୟାତରେ ବାଧା ସୃଷ୍ଟି ସହ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି।

Share