Categories: ଫୁରସତ

କେରାଣ୍ଡିମାଳରୁ ଶାଳିଆ ନଦୀ ଦେଇ ଆସିଥିଲା ପଥର

ତେର ଥର ପଥର ଆସିବା ସୂଚନା ଆମେ ପାଇଥିଲେ। ବର୍ତ୍ତମାନ ଚଉଦ ଥର ପଥର ଆସିବା କଥା ଜାଣିବା। କେରାଣ୍ଡିମାଳରୁ ଯେଉଁ ପଥର କଟାଗଲା, ତାହା ୭୦ଟି ଚାପରେ ରଖାଗଲା। ରଖିଲେ ୩୨୪ ଜଣ ପାଇଟିଆଳ। ଋଷିକୂଲ୍ୟା ନଦୀରେ ଚାପ ଦଳେଇମାନେ ୭୦ଟି ଚାପକୁ ବାହିଆଣିଲେ ବାହାର ଦଣ୍ଡା ବା କେନାଲକୁ। ଏହି କେନାଲ ଖୋଳାଯାଇ ଶାଳିଆ ନଦୀ ସଂଲଗ୍ନ କରାଯାଇଥିଲା କେବଳ ପଥର ଚାପ ଆସିବା ପାଇଁ। ଚାପଗୁଡ଼ିକ ବାହାର ଦଣ୍ଡାରେ ଆସି ଶାଳିଆ ନଦୀରେ ପହଞ୍ଚତ୍ବା ପରେ ମଲାଗୁଣି ନଦୀକୁ ଆସିଥିଲା। ସେଠାରୁ ମନେହୁଏ ଦୟାନଦୀକୁ ଆସି ମହାନଦୀରେ ପହଞ୍ଚତ୍ଥିଲା। ଆମ୍ଭେ ସମ୍ଭାବନା କରୁଛୁ ଏଥିପାଇଁ ଯେ ମଲାଗୁଣି ନଦୀ ପରେ ଆଉ ନିର୍ଦ୍ଦିଷ୍ଟ ବର୍ଣ୍ଣନା ପୋଥିରେ ନାହିଁ। ଆଣିବା ପାଇଁ ଖର୍ଚ୍ଚ ହୋଇଥିଲା ୭୦ ମାଢ଼ ସୁନା। ଶିବିର ପଡ଼ିଥିଲା ୭ମାସ ୧୪ଦିନ। ତେବେ କ’ଣ ଚାପ ଆଣିବାକୁ ପ୍ରାୟ ସେତିକିଦିନ ଲାଗିଯାଇଥିଲା, ଲାଗିଥିବ। କାରଣ ଚାପ ଦଳେଇ ଓ ଅନ୍ୟାନ୍ୟ ବାହକମାନଙ୍କ ପାଇଁ ଭୀମନଗର ଦଣ୍ଡପାଟ ଭଣ୍ଡାରରୁ ଦିଆଯାଇଥିଲା ୨୨ ଭରଣ ଧାନ।
କେତେ ମନ୍ତ୍ରଣା, କେତେ ଯନ୍ତ୍ରଣା, କେତେ ପରିଶ୍ରମ, କେତେ ଦାୟିତ୍ୱ ପୁଣି କୁମ୍ଭୀର ଭେଳା ଭେଳା ହେଉଥିବେ ନଈରେ। ବଣଜଙ୍ଗଲ ଦେଇ ନଈ ବହିଯାଇଛି। ବିଭିନ୍ନ ଜନ୍ତୁଙ୍କ ଭୟ, ବର୍ଷା ଅଛି, ପବନ ଅଛି, ଘଡ଼ଘଡ଼ି ଚଡ଼ଚଡ଼ି ଅଛି, ନଈରେ ଡଅଁର ଅଛି, ଦିନରେ ଚାପଚାଳନା ବନ୍ଦ କରି ଖା’ ପିଅ କରିଥିବେ, ରାତି କଥା ଅଜଣା, ତଥାପି ଏ ଜାତି କାମରେ ହାର୍‌ ମାନିନି, ବାହାନା ଖୋଜିନି, ମନମତାଣିଆ ନ ହେଲେ ୟେ ଯାତ୍ରା କ’ଣ ସୁଖ ଲାଗିଥିବ! ପୋଲାଙ୍ଗ ତେଲର ଦୁହୁଡ଼ି ଜାଳି ଚାପ ବାହିଥିବେ ଏ ଜାତିର ନମସ୍ୟ ଦଳବେହେରା।
ଟିକରପଡ଼ା ଦଳବେହେରାଙ୍କ ନେତୃତ୍ୱରେ ପଥର ଚିହ୍ନଟ ପାଇଁ ଯାଇଥିବା ପଥୁରିଆଙ୍କୁ ସ୍ବାଗତ କରିଥିଲେ ଜଗଦଳପୁର ମୁଖିଆ। ତାଙ୍କର ପଦବୀ ଥିଲା ‘ଲେଙ୍କା’। ଶିବିର ପଡ଼ିଲା ୪ ମାସ ୧୩ ଦିନ। ଜଗଦଳପୁର ‘ବରେନ୍‌’ ପାହାଡ଼ରୁ ପଥର ଚିହ୍ନଟ ହେବ। ଏଠି ବି ଖର୍ଚ୍ଚ ହୋଇଥିଲା ୧୦୪ ମାଢ଼ ସୁନା।
ପଥର କାଟିବା ପରେ ୨୩୦ ଜଣ ପାଇଟିଆଳ ଦୟା ନଦୀକୂଳକୁ ପଥର ବୋହି ଆଣିଥିଲେ। ୩୧ଟି ଚାପରେ ତାହା ଲଦିବା ପରେ ଦୟା ନଦୀରୁ ଚାପ ଆସି ପହଞ୍ଚିଥିଲା ‘ସୋଲ’ ନଦୀରେ। ଶିବିର ପାଇଁ ଖର୍ଚ୍ଚ ହୋଇଥିଲା ୩ ଭରଣ ୦୭ ଗୌଣୀ, କିନ୍ତୁ ଚାପରେ ଲଦିବା ଓ ଚାପ ବାହିବାରେ ଖର୍ଚ୍ଚ ହେଲା ୬୪ ଭରଣ ଚାଉଳ। ସବୁ ଯେମିତି ଯଥାରୀତି ଚାଲିଛି…। ଡେଲାଙ୍ଗ ପାଖାପାଖି ଅଞ୍ଚଳ ପରିଚିତ ଥିଲା ‘ଖିଲେଶ୍ୱରୀ ଦଣ୍ଡପାଟ’ ଭାବରେ। ଏଇ ଦଣ୍ଡପାଟରେ ରହିଥିଲା ‘ତରାବୋଇ’। ଦଣ୍ଡପାଟର ନାମ ଲୋପ ହୋଇଯାଇଛି। ତରାବୋଇ ଗ୍ରାମ ଅଛି। ଏଇ ଗଁାରୁ ଯୋଗେଇ ଦିଆଯାଇଥିଲା ୬୪ ଭରଣ ଚାଉଳ। ଏହା ଥିଲା ପନ୍ଦରତମ ପଥର ଆସିବାର ଐତିହ୍ୟ।
ଆମେ ସୂଚନା ଦେଇଥିଲୁ ବାରଶହ ବଢ଼େଇଙ୍କ ବାହାରେ କେତେ ଯେ ଗଡ଼, ଦଣ୍ଡପାଟ, ଗଁା ତଥା ସାଧାରଣ ଜନତା ମାନସିକ ସ୍ତରରେ କୋଣାର୍କଠାରେ ନିର୍ମିତ ହୋଇଥିବା ମନ୍ଦିର ସହିତ ସେକାଳ ଖଣ୍ଡରେ ଜଡ଼ିତ ହୋଇଥିବେ, ତା’ର ସବୁ ହିସାବ କିଏ ବା ଦବ! ମାନସିକ ସ୍ତରରେ ଯୋଡ଼ି ହୋଇ ନ ଥିଲେ କାର୍ଯ୍ୟରେ ସହଯୋଗ କରିବା ସମ୍ଭବ ନୁହେଁ। ସମସ୍ତେ ଯେ ପାଉଣା ପାଉଥିଲେ ତାହା ନୁହେଁ, ପାଉଣାର ଆଶା ନ ରଖି ଘରୁ ଚାଉଳଠାରୁ ମୁଗ, ପନିପରିବା ଯୋଗାଇ ଦେଉଥିଲେ ଚାପ ଦଳେଇମାନଙ୍କୁ। ରଥକାଠ ନଈରେ ଭେଳା ହୋଇ ଆସିଲେ ଯେମିତି ହରିବୋଲ ହୁଳହୁଳିରେ ନଈ ଘାଟ କମ୍ପି ଉଠେ, ସୂରୁଯ ଦେବତାଙ୍କ ମନ୍ଦିର ପାଇଁ ପଥର ଆସିଲାବେଳେ ସେମିତି ହରିବୋଲ ହୁଳହୁଳିରେ ନଈଘାଟ ଯେ କମ୍ପି ଉଠି ନ ଥିବ କିଏ କହିବ! ଘାଟକୁ ଘାଟ ତ ପାଇକ ନଜର ରଖିଥିଲେ ପଥର ଚାପ ବିନା ଅଘଟଣରେ ସୁରୁଖୁରୁରେ କେମିତି ଗତି କରିଯାଉ! ଜାତିର ସାଂସ୍କୃତିକ ରଥଚକ ଆଗକୁ ଆଗକୁ ଗଡ଼ିଚାଲୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର

Share