ଟ୍ରାକ୍‌ରେ ଯାଉଥିଲା ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ଟନେଲ୍‌ରୁ ଖସିଲା ପଥର, ଆଉ ତା’ ପରେ…

କୋରାପୁଟ/ଲକ୍ଷ୍ମୀପୁର,୧୦ା୧୦(ଅମିତାଭ ବେହେରା/ଅନନ୍ତ ନାୟକ): ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡ଼ା ରେଳପଥରେ ଟନେଲ ମଧ୍ୟରୁ ପଥର ଖସି ରେଳ ଧାରଣା ଉପରେ ପଡ଼ିଲା। ଛିଣ୍ଡିଗଲା ଓଭର ହେଡେ୍‌ଡ ଇକ୍ୟୁପ୍‌ମେଣ୍ଟ ତାର। ଦୀର୍ଘ ୪ଘଣ୍ଟାର କସରତ ପରେ କୋରାପୁଟ-ରାୟଗଡ଼ା ରେଳ ପଥରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। କାକିରିଗୁମ୍ମା-ଲକ୍ଷ୍ମୀପୁର ରେଳ ଷ୍ଟେଶନ ମଧ୍ୟରେ ଥିବା ୩ ନଂ ଟନେଲରେ ୫୮ କିଲୋମିଟର ପଏଣ୍ଟରେ ହଠାତ ରେଳଧାରଣା ଉପରେ ପଥର ଖସିପଡ଼ିଥିଲା। ପଥର ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ କୋରାପୁଟ ରାୟଗଡ଼ା ରେଳ ପଥରେ ସକାଳ ୮ଟା ପର୍ଯ୍ୟନ୍ତ ରେଳ ଚଳାଚଳ ଠପ୍‌ ହୋଇପଡ଼ିଥିଲା।

କୋରାପୁଟରୁ ବିଶେଷଜ୍ଞ ସହ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେଳପଥରୁ ପଥର ହଟାଇଥିଲେ। ଓଭର ହେଡେଡ୍‌ ଇକ୍ୟୁପମେଣ୍ଟ ମରାମତି କରି ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ସଜାଡ଼ବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। କୋରାପୁଟ ଅଭିମୁଖେ ଯାଉଥିବା ରାଉରକେଲା ଟ୍ରେନ୍‌ ଲକ୍ଷ୍ମୀପୁରରେ ଅଟକି ରହିଥିଲା, ହୀରାଖଣ୍ଡ ଏକ୍ସପ୍ରେସ୍‌ ୨ଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଚଳାଚଳ କରିଥିଲା। ରାଉରକେଲା ଇଣ୍ଟରସିଟି ଟ୍ରେନ୍‌ ଯିବା ବେଳେ ଟନେଲ ମଧ୍ୟରେ ଏହି ଘଟଣା ଘଟିଥିଲେ ବହୁ ଧନଜୀବନ କ୍ଷତି ହୋଇଥାନ୍ତା। ୫୮ କିମି ଦୂର କୋରାପୁଟରୁ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସାରିବା ସହ ଓଏଚ୍‌ଇ ବିଦ୍ୟୁତ ବ୍ୟବସ୍ଥା ସଜାଡ଼ିଥିଲେ। ରେଳ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁ ରେଳ ଚଳାଚଳ ସ୍ବାଭାବିକ ହୋଇପାରିଲା। ହେଲେ ଟନେଲ ମଧ୍ୟରେ ପଥର କିଭଳି ଖସିଲା ତା’ର କାରଣ ଯାଞ୍ଚ କରୁଛି ରେଳ ବିଭାଗ ଟିମ୍‌।

Share