Categories: ଫୁରସତ

ଭବିଷ୍ୟତ ନିର୍ମାଣରେ ଏନ୍‌ଜିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ଫେବୃଆରୀ ୨୭ ତାରିଖକୁ ସମଗ୍ର ବିଶ୍ୱରେ ‘ସ୍ବେଚ୍ଛାସେବୀ ସଙ୍ଗଠନ’ ବା ନନ୍‌-ଗଭର୍ନମେଣ୍ଟାଲ ଅର୍ଗାନାଇଜେଶନ (ଏନଜିଓ) ଦିବସ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଏହି ଦିବସ ଲାଗି ଥିମ୍‌ ରହିଛି ‘ଏକ ଦୀର୍ଘକାଳୀନ ଭବିଷ୍ୟତ ନିର୍ମାଣ : ଉନ୍ନତିମୂଳକ କାର୍ଯ୍ୟରେ ଏନ୍‌ଜିଓଗୁଡ଼ିକର ଭୂମିକା’। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଏସବୁ ସଙ୍ଗଠନ ବିକାଶମୂଳକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିଥାଆନ୍ତି। ଏମାନେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଜନସାଧାରଣମାନଙ୍କୁ ବିଭିନ୍ନ ବିଷୟରେ ସୂଚନା ଦେଇଥାଆନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ, ମହିଳାମାନଙ୍କର ବିକାଶ, ପରିବେଶ ସୁରକ୍ଷା, ପ୍ରାଣୀ ସୁରକ୍ଷା, ଜାତୀୟ ସଂହତି, ସ୍ବଚ୍ଛତା, ଶିଶୁ ସୁରକ୍ଷା, ଶିକ୍ଷା ଏବଂ ଲୋକକଳାର ବିକାଶ ଆଦି ଲୋକାଭିମୁଖୀ କାର୍ଯ୍ୟରେ ଏଭଳି ସଙ୍ଗଠନର ସହଭାଗିତା ରହିଥାଏ। ତେଣୁ ଏପରି ସଙ୍ଗଠନ କିପରି ଅଧିକ ସଂଖ୍ୟାରେ ସୃଷ୍ଟି କରାଯାଇପାରିବ ଏବଂ ସେମାନେ ନିଜକୁ ଜନସେବାରେ ନିୟୋଜିତ କରିପାରିବେ ସେନେଇ ସଚେତନତା ସୃଷ୍ଟି ଏହି ଦିବସର ପ୍ରମୁଖ ଲକ୍ଷ୍ୟ। ପ୍ରଥମେ ୨୦୧୦ରେ ବାଲ୍‌ଟିକ୍‌ ସି’ ଏନ୍‌ଜିଓ ଫୋରମରେ ଉକ୍ତ ଦିବସ ପାଳନ ନେଇ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଉକ୍ତ ଫୋରମର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ବେଲାରୁଷ, ଡେନମାର୍କ, ଇଷ୍ଟୋନିଆ, ଫିନ୍‌ଲ୍ୟାଣ୍ଡ, ଜର୍ମାନୀ, ଆଇସଲ୍ୟାଣ୍ଡ, ଲାଟ୍‌ଭିଆ, ଲିଥୁଆନିଆ, ପୋଲାଣ୍ଡ, ରୁଷିଆ, ନରୱେ ଏବଂ ସ୍ବିଡେନ। ତା’ପରେ ଏହାକୁ ଭଲ ଭାବରେ ତର୍ଜମା କରାଯାଇ ୨୦୧୨ରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଫେବୃଆରୀ ୨୭କୁ ‘ବିଶ୍ୱ ଏନ୍‌ଜିଓ ଦିବସ’ ଭାବରେ ପାଳନ ଲାଗି ସଦସ୍ୟମାନେ ସହମତି ପ୍ରକାଶ କରିଥିଲେ। ଏହି ଦିବସର ପ୍ରଥମ ବିଶ୍ୱସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମ ୨୭ ଫେବୃଆରୀ ୨୦୧୪ରେ ଫିନଲ୍ୟାଣ୍ଡର ହେଲ୍‌ସିଙ୍କ୍‌ଠାରେ ଫିନଲ୍ୟାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିଲା। ସେହି ବର୍ଷଠାରୁ ସମଗ୍ର ବିଶ୍ୱରେ ଉକ୍ତ ଦିବସ ପାଳିତ ହୋଇ ଆସୁଅଛି।

Share