କ୍ଷୁଦ୍ରଶିଳ୍ପର ଭୂମିକା ଅତୁଳନୀୟ

କୃଷି ଓ ଶିଳ୍ପ ମାଧ୍ୟମରେ ଦେଶର ପ୍ରଗତି ବିକଶିତ ହୋଇଥାଏ। ଏପରିକି କୃଷି ଓ ଶିଳ୍ପ ମଧ୍ୟ ଦେଶ ପାଇଁ ମାନବ ସମ୍ବଳ ନିୟୋଜନର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେଉଁ ଦେଶ ଉତ୍ପାଦନରେ ଯେତେ ସ୍ବାବଲମ୍ବୀ ହୋଇଥାଏ। ସେ ଦେଶରେ ସେହିପରି ଅର୍ଥନୈତିକ ବିକାଶ ଘଟିଥାଏ। ବିଶେଷକରି ଗ୍ରାମୀଣ ନିୟୋଜନ ପାଇଁ କ୍ଷୁଦ୍ର ଶିଳ୍ପ ଯଥେଷ୍ଟ ଭୂମିକା ଗ୍ରହଣ କରିଥାଏ। ସେହିଭଳି ସରକାର ବର୍ତ୍ତମାନ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସ୍ଥାପନ ଦିଗରେ ଆଗଭର ଅଛନ୍ତି। ଏତଦ୍‌ଭିନ୍ନ ପରିବେଶ ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣରେ ରଖି ଶିଳ୍ପ ସ୍ଥାପନ ହେଲେ ସମସ୍ତଙ୍କର ମଙ୍ଗଳ ହେବ। ଏପରିକି ବହୁ ଘାତ ପ୍ରତିଘାତ ମଧ୍ୟରେ ଅନେକ ସଫଳତା ହାସଲ କରିଥିବା ଯୁବ ଶିଳ୍ପୋଦ୍ୟୋଗୀ ତଥା ନେକ୍ସସ୍‌ ଇଞ୍ଜିନିୟରିଂର ପରିଚାଳନା ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କସହ ଧରିତ୍ରୀର ଖୋଲା କଥା…

ପ୍ର-୧: ଅତିବାହିତ ବାଲ୍ୟଜୀବନ
କିଭଳି କଟିଛି?
ଉ- କଟକ ସହରର ତୁଳସୀପୁରଠାରେ ମୋର ଜନ୍ମ, ପରବର୍ତ୍ତୀ ସମୟରେ ତୁଳସୀପୁର ହାଇସ୍କୁଲରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ଶେଷ କରି ସ୍ଥାନୀୟ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଯୁକ୍ତ ୨କଳାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲି। ବାପା ରବୀନ୍ଦ୍ର କୁମାର ମହାନ୍ତି ଏକ ମିଶ୍‌ନାରୀ ସଂସ୍ଥାରେ ଅନୁବାଦକ ଓ ପ୍ରକାଶକ ଦାୟିତ୍ୱ ତୁଲାଉଥିଲେ। ଗୋଟିଏ ସୁନ୍ଦର ପରିବାର ମଧ୍ୟରେ ବାଲ୍ୟ ଜୀବନ ବହୁତ ଭଲରେ କଟିଛି।
ପ୍ର-୨: ଶିକ୍ଷା ପରର ଜୀବନଯାତ୍ରା କିପରି ଥିଲା?
ଉ- ମୋର ବଡ଼ ଭାଇ ମୁମ୍ବାଇରେ ଚାକିରି କରୁଥାନ୍ତି, ମୁଁ ଯୁକ୍ତ ୨ପରୀକ୍ଷା ପରେ ତାଙ୍କ ନିକଟକୁ ବୁଲିବାକୁ ଯାଇଥିଲି। ବିଶେଷ କରି ମୁମ୍ବାଇ ସହର ମୋତେ ବହୁତ ଭଲ ଲାଗିଲା। ତେଣୁ ସେଠାରେ ମୁଁ କିଛି କାମ କରିବାକୁ ଆଶା କରିଥିଲି। ଏପରିକି ଯଥାଶୀଘ୍ର ଏକ କୋରିୟର କମ୍ପାନୀରେ ମୋତେ ନିଯୁକ୍ତି ମିଳିଗଲା। ମାତ୍ର କିଛିଦିନ ପରେ କମ୍ପାନୀ ମାଲିକ ମୋତେ ପରିଚାଳକ ପାଇଁ ମନୋନୀତ କରିଥିଲେ ମଧ୍ୟ ମୋର ପ୍ରମୋଶନ ହୋଇପାରିଲା ନାହିଁ। କାରଣ ଉଚ୍ଚଶିକ୍ଷା ବାଧକ ସାଜିଲା, ମୋର ସ୍ନାତକ ଯୋଗ୍ୟତା ନଥିଲା। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ବଢାଇବା ପାଇଁ ମୁଁ ଉଦ୍ୟମ କଲି। ଏପରିକି ସମୟାନୁକ୍ରମେ ଓଡିଶା ଆସି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଇଁ ଆଡମିଶନ କରି ସଫଳତା ମଧ୍ୟ ପାଇଲି।
ପ୍ର-୩: ଉଦ୍ୟୋଗୀ ହେବା ପାଇଁ କିଭଳି ମନ ବଳାଇଲେ?
ଉ- ଓଡ଼ିଶା ଫେରି ଆସିବା ପରେ ମୁଁ କର୍ମ ନିୟୋଜନ ପାଇଁ ଏଣେତେଣେ ଘୂରି ବୁଲିଲି, ସୁଯୋଗକ୍ରମେ ଭୁବନେଶ୍ୱରର ଏକ କମ୍ପାନୀରେ ମାର୍କେଟିଂ କାର୍ଯ୍ୟରେ ଯୋଗ ଦେଲି। ଏପରିକି ମୋର କାର୍ଯ୍ୟଦକ୍ଷତା ଯୋଗୁ କମ୍ପାନୀର ସବୁ ଦିଗ ଯଥା ପର୍ଚେଜିଂ, ମାର୍କେଟିଂ, ପରିଚାଳନା ଓ ଉତ୍ପାଦନ ବୁଝିବାକୁ ପଡ଼ିଲା। ଫଳରେ ମୁଁ ଶିଳ୍ପୋଦ୍ୟୋଗୀ ହେବାର ସବୁ ଦିଗକୁ ଅନୁଧ୍ୟାନ କରିବାରେ ବେଶ୍‌ ସଫଳ ହୋଇଯାଇଥିଲି। ପରବର୍ତ୍ତୀ ସମୟରେ ମୋ ପାଖରେ ସଞ୍ଚତ୍ତ ଅର୍ଥକୁ ନେଇ କିଛି ଗୋଟାଏ କରିବାକୁ ଚିନ୍ତା ଆସିଲା। ଫଳରେ ମୁଁ ବ୍ୟବସାୟ କ୍ଷେତ୍ରରେ ପାଦ ଦେଲି।
ପ୍ର-୪: ଇଟା ତିଆରି ମେଶିନ
ଉଦ୍ୟୋଗ କାହିଁକି?
ଉ- କଟକ ସହରର ଆଖପାଖରେ ମାଟି ତିଆରି ଇଟା ଧୂଅଁା ସହରକୁ ପ୍ରଦୂଷିତ କରୁଥିଲା। ଏହା ମୋତେ ବେଶ ବ୍ୟଥିତ କରିଥିଲା। ଫଳରେ ଇଟା ତିଆରି ମେଶିନ ଉଦ୍ୟୋଗ ବସାଇବାର ଅଦ୍ୟମ ଇଚ୍ଛା କିଛି ପୁଞ୍ଜି ଓ ଅଭିଜ୍ଞତାକୁ ନେଇ ମୁଁ କାମ ଆରମ୍ଭ କଲି। କଟକ ଜଗତପୁର ଶିଳ୍ପାଞ୍ଚଳଠାରେ ଏକ ପୁରୁଣା ୱାର୍କସପ୍‌କୁ ପ୍ରଥମେ ମୋର କର୍ମସ୍ଥଳୀ ଭାବେ ବାଛି ନେଲି। ଏଥିରେ ମୋର ଅଭିଜ୍ଞତା ଯଥେଷ୍ଟ ସାହାଯ୍ୟ କରିଥିଲା।
ପ୍ର-୫: ନେକ୍ସସ୍‌ର ଆଗାମୀ ଯୋଜନା କ’ଣ ରହିଛି?
ଉ- ନେକ୍ସସର ବ୍ୟବସାୟ ଓ ଚାହିଦା ଆମ ରାଜ୍ୟରେ ବେଶ୍‌ ଭଲ ରହିଛି। ଏହାଛଡ଼ା ଆମେ ଏବେ ଅନ୍ୟ ରାଜ୍ୟକୁ ମେଶିନ ଦେବାକୁ ସକ୍ଷମ ହେଲୁଣି। ଏମିତିକି ଆମ ମେଶିନ ଦେଶ ବାହାରକୁ ମଧ୍ୟ ରପ୍ତାନି ହୋଇ ଆଶାତୀତ ସଫଳତା ପାଇପାରିଛି। ଆଗାମୀ ଦିନରେ ଆଉ ଏକ ନୂତନ ପଦକ୍ଷେପ ପେଭର ବ୍ଲକ ତିଆରି ମେଶିନ ଆମ ଯୁବ ବର୍ଗଙ୍କୁ ଆୟର ବାଟ କଢାଇ ନେବ। ଫଳରେ ରାଜ୍ୟରେ ନିଯୁକ୍ତି ସୁଯୋଗ ସହ ଆର୍ଥିକ ମାନଦଣ୍ଡ ସୁଦୃଢ ହେବାରେ ସହାୟକ ହେବ। ଅନ୍ୟ ରାଜ୍ୟକୁ ରୋଜଗାର ପନ୍ଥା ପାଇଁ ଯାଉଥିବା ଲୋକମାନେ ଆମ ରାଜ୍ୟରେ ଯଥେଷ୍ଟ ନିଯୁକ୍ତି ପାଇବେ।
ପ୍ର-୬: ଜୀବନର ଲକ୍ଷ୍ୟ କ’ଣ?
ଉ- ଓଡ଼ିଶାକୁ ଏକ ସବୁଜ ସୁନ୍ଦର ପ୍ରଦୂଷଣମୁକ୍ତ ରାଜ୍ୟରେ ପରିଣତ କରିବା ସହ ବେକାରିହଟାଇ ଯୁବବର୍ଗଙ୍କୁ ଆୟର ପନ୍ଥା ଦେଖାଇବାରେ ଅବିରତ କାର୍ଯ୍ୟ କରିବି। ଏପରିକି ରାଜ୍ୟରେ ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ନୂଆ ଉଦ୍ୟୋଗ ବସାଇବାରେ ଆବଶ୍ୟକ ସହଯୋଗ ଓ ପ୍ରେରଣା ଦେଇ ଏକ ଅର୍ଥନୈତିକ ବିକାଶଶୀଳ ରାଜ୍ୟ ଗଠନ କରିବା ମୋର ଲକ୍ଷ୍ୟ ରହିଛି।

Share