ବେଙ୍ଗାଲୁରୁ,୧ା୯:ଚନ୍ଦ୍ରର ଦକ୍ଷିଣ ମେରୁରେ ସଲ୍ଫର (ଗନ୍ଧକ) ଏବଂ ଅନ୍ୟାନ୍ୟ ଉପାଦାନ ରହିଥିବା ରୋଭର ପ୍ରଜ୍ଞାନ ପୁଣିଥରେ ସ୍ପଷ୍ଟ କରିଛି। ଏଥର ଭିନ୍ନ ପ୍ରଯୁକ୍ତିରେ ରୋଭର ଉପରୋକ୍ତ ଉପାଦାନ ରହିଥିବା ଜାଣିବାକୁ ପାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ପ୍ରଜ୍ଞାନରେ ଥିବା ଲେଜର-ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ ସ୍ପେକ୍ଟ୍ରୋସ୍କୋପ୍ (ଏଲ୍ଆଇବିଏସ୍) ଉପକରଣ ଦ୍ୱାରା ଚନ୍ଦ୍ର ଦକ୍ଷିଣ ମେରୁରେ ସଲ୍ଫର ଥିବା ସ୍ପଷ୍ଟ ହୋଇଥିଲା। ରୋଭରର ଆଲ୍ଫା ପାର୍ଟିକ୍ଲ ଏକ୍ସ-ରେ ସ୍ପେକ୍ଟ୍ରୋସ୍କୋପ୍ (ଏପିଏକ୍ସଏସ୍) ଉପକରଣ ପୁନର୍ବାର ସଲ୍ଫର ଓ ଅନ୍ୟ କେତେକ ଉପାଦାନକୁ ଚିହ୍ନଟ କରିପାରିଛି।
ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମରେ ଥିବା ୩ ପ୍ଲେଲୋଡ୍ ଚନ୍ଦ୍ର ଦକ୍ଷିଣ ମେରୁ ଅଞ୍ଚଳର ପ୍ଲାଜ୍ମା ପରିବେଶର ପ୍ରଥମ ଆକଳନ କରିଛି। ବିକ୍ରମରେ ଥିବା ସମ୍ବେଦନଶୀଳ ଆୟନୋସ୍ପିୟର ଏବଂ ଆଟମୋସ୍ପିୟରର ରେଡିଓ ଆନାଟୋମି -ଲାଙ୍ଗମୁଇର ପ୍ରୋବ୍ (ରମ୍ଭା-ଏଲ୍ପି) ପ୍ଲେଲୋଡ୍ ପ୍ଲାଜ୍ମାର ଆକଳନ କରିଥିଲା।