Categories: ଜାତୀୟ

ଚନ୍ଦ୍ରରେ ୮ ମିଟର ଚାଲିଲା ରୋଭର

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମରୁ ବାହାରିବା ପରଠୁ ରୋଭର ପ୍ରଜ୍ଞାନ ୮ ମିଟର ଚାଲିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ପ୍ରଜ୍ଞାନର ଗତିବିଧି ଉପରେ ନଜର ରଖାଯାଇଛି। ରୋଭର କରିବାକୁ ଥିବା ସବୁ ପ୍ରୟୋଗକୁ ନିରୀକ୍ଷଣ କରାଯାଉଛି। ପ୍ରପଲସନ୍‌ ମୋଡୁଲ୍‌ରେ ସମସ୍ତ ପେଲୋଡ୍‌, ଲ୍ୟାଣ୍ଡର ମୋଡ୍ୟୁଲ ଓ ରୋଭର ସାମାନ୍ୟ ଭାବେ କାର୍ଯ୍ୟ କରୁଛି ବୋଲି ଶୁକ୍ରବାର ଇସ୍ରୋ ପକ୍ଷରୁ କୁହାଯାଇଛି।
ପୂର୍ବରୁ ଇସ୍ରୋ ଏକ ଭିଡିଓ ଜାରି କରିଥିଲା, ଯହିଁରେ ଚନ୍ଦ୍ରୟାନ-୩ରୁ ବାହାରିବା ପରେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ଏକ ତ୍ରିରଙ୍ଗା ପତାକା ଧରି ବୁଲୁଥିବା ଦେଖିବାକୁ ମିଳିଛି। ଚନ୍ଦ୍ର ମାଟିରେ ପ୍ରୟୋଗ ପାଇଁ ପ୍ରଜ୍ଞାନ ହାତରେ ଅଗଷ୍ଟ ୨୩ରୁ ୧୪ ଦିନ(ଚନ୍ଦ୍ରର ଦିନେ) ରହିଛି। ତେବେ ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେଲେ ଏହି ସୌରଚାଳିତ ରୋଭର ପୁନରୁଜ୍ଜୀବିତ ହୋଇଉଠିବ ବୋଲି ଇସ୍ରୋ ବୈଜ୍ଞାନିକମାନେ ଆଶା କରିଛନ୍ତି। ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥନ୍‌ କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିବାରେ ଭାରତ ହେଉଛି ପ୍ରଥମ ଦେଶ। ସାଉଥ୍‌ ପୋଲ୍‌ ସୂର୍ଯ୍ୟଙ୍କ ଦ୍ୱାରା କମ୍‌ ଆଲୋକିତ ହେଉଥିବାରୁ ଲ୍ୟାଣ୍ଡିଂ ପାଇଁ ଏହାକୁ ବଛାଯାଇଥିଲା। ଚନ୍ଦ୍ର ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ପୂର୍ବରୁ ଦକ୍ଷିଣ ମେରୁକୁ ନେଇ ଅଧିକ ଆଗ୍ରହ ଦେଖାଇନାହାନ୍ତି। ତେବେ ଏହି ମେରୁକୁ ନେଇ ଅନେକ ସମ୍ଭାବନା ରହିଛି।

Share