ବରିଷ୍ଠ ଅଧିକାରୀ ଝିଅଙ୍କ ଚପଲ ପାଇଁ ଆର୍‌ପିଏଫ୍‌ ଘାଇଲା

ସମ୍ବଲପୁର,୧୬ା୨(ବ୍ୟୁରୋ): ସମ୍ବଲପୁର ରେଳମଣ୍ଡଳ ଅଧୀନ ଆର୍‌ପିଏଫ୍‌ରେ ଜାନୁୟାରୀ ୫ରେ ଚପଲ ଚୋରି ନେଇ ଅଭିଯୋଗ ହୋଇଥିଲା। ଏକମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହାକୁ ଖୋଜିବାରେ ଆର୍‌ପିଏଫ୍‌ ପୋଲିସ ଘାଇଲା ହୋଇଯାଇଥିଲା। ଘଟଣା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି କୌତୂହଳ ସୃଷ୍ଟି କରୁଛି। ହେଲେ ଏହା ସତ୍ୟ। ଏବେ ଉକ୍ତ ଚପଲ ଦିଲ୍ଲୀର ଜଣେ ମହିଳା ଡାକ୍ତରଙ୍କ ପାଖରୁ ଉଦ୍ଧାର କରାଯାଇଛି।

ସୂଚନାକ୍ରମେ ମହିଳା ଡାକ୍ତର ଓ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ବିନିତ କୁମାର ସିଂଙ୍କ ଝିଅ ଟ୍ରେନ୍‌ରେ ଏକାଠି ଯାତ୍ରା କରୁଥିଲେ। ଜାନୁୟାରୀ ୪ ତାରିଖ ଭୋର ୪ଟାରେ ମହିଳା ଡାକ୍ତର ଜଣଙ୍କ ବରେଲି ଷ୍ଟେଶନରେ ଓହ୍ଲାଇଥିଲେ। ହେଲେ ସେ ଭୁଲ୍‌ବଶତଃ ପାଖରେ ବସିଥିବା ପ୍ରବନ୍ଧକ ସିଂ ଝିଅଙ୍କ ଚପଲ ପିନ୍ଧି ଚାଲିଯାଇଥିଲେ। ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ଓ ସେ ଏହାକୁ ଫେରାଇଦେବେ ବୋଲି ପୋଲିସ ପାଖରେ ବୟାନ ଦେଇଥିବା କୁହାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମଣ୍ଡଳ ପ୍ରବନ୍ଧକ ସିଂ ଚପଲ ଚୋରି ନେଇ ଜାନୁୟାରୀ ୫ରେ ଆର୍‌ପିଏଫ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କେବଳ ଆର୍‌ପିଏଫ୍‌ ନୁହେଁ, ଜିଆର୍‌ପି ଏବଂ ଆଇଆର୍‌ସିଟିସି ଭଳି ଅନ୍ୟ ରେଲଓ୍ବେ ସଂସ୍ଥାକୁ ଚପଲ ଖୋଜିବା ପାଇଁ ନିୟୋଜିତ କରାଯାଇଥିଲା। ଅନ୍ୟପଟେ ଯାତ୍ରୀଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି କି ସଚେତନତା କାର୍ଯ୍ୟକ୍ରମ ସହ ମକ୍‌ଡ୍ରିଲ ଆୟୋଜନ ହେଉଛି। ଅନେକ ଯାତ୍ରୀ ଚୋରି ଯାଇଥିବା ମୂଲ୍ୟବାନ୍‌ ସାମଗ୍ରୀ ଫେରି ପାଉଥିବାବେଳେ ଆଉ କେତେଜଣ ଫେରସ୍ତ ପାଉନାହାନ୍ତି। ଏହି ଘଟଣାରେ ଚପଲ ଖୋଜି ପାଇବା ଆର୍‌ପିଏଫ୍‌ ପାଇଁ ଯେତିକି ସଫଳତା ଆଣିଛି ସେତିକି ଆଲୋଚନାର ବିଷୟ ହୋଇଛି। ଏ ନେଇ ଆର୍‌ପିଏଫ୍‌ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Share