ଖୋର୍ଦ୍ଧା ଅଫିସ,୨୪।୩: ରାଜ୍ୟରେ କରୋନା ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଏ ନେଇ ରାଜ୍ୟ ସରକାର କୋଭିଡ କଟକଣାକୁ କଡାକଡି କରୁଛନ୍ତି। ବୁଧବାର ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କୋଭିଡ ନିୟନ୍ତ୍ରଣ ଲାଗି ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଜିଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲାପାଳ ମନୋଜ ପାଢୀ, ଉପଜିଲାପାଳ ଅଶୋକ ବେହୁରିଆ, ତହସିଲଦାର ପଦ୍ମଚରଣ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।
ଅଧିକାରୀମାନେ ଏସ୍ବିଆଇ ଛକରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୁଇ କିମି ଚାଲିଚାଲି ଲୋକଙ୍କୁ କୋଭିଡ୍ ସଚେତନ କରାଉଛନ୍ତି। କୋଭିଡ ନିୟମ ଲାଗି ପରାମର୍ଶ ଦେଇଛନ୍ତି। ରାସ୍ତାରେ ଯାଉଥିବା ଲୋକଙ୍କୁ ସଚେତନ ସହ ମାସ୍କ ବାଣ୍ଟିଛନ୍ତି। ମାସ୍କ ନ ପିନ୍ଧେିଲ ସାମଗ୍ରୀ ନ ଦେବା ପାଇଁ ଦୋକାନୀଙ୍କୁ ପରାମର୍ଶ ଦେଇଛନ୍ତି।
ଏହା ସହ ରାସ୍ତାରେ ହେଲମେଟ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ମଧ୍ୟ ତାଗିଦ କରିଛନ୍ତି। ଜିଲାପାଳ ମହାନ୍ତି କହଛନ୍ତି ଯେ, ଜିଲାରେ କୋଭିଡ ନିୟନ୍ତ୍ରଣ ରହିଛି। ଦ୍ବିତୀୟ ଲହର୍କୁ ଦୃଷ୍ଟିରେ ରଖି, କୋଭିଡ କଟକଣା କଡ଼ାକଡ଼ି କରାଯାଉଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆରଟିପିସିଆର (କୋଭିଡନେଗେଟିଭ) ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। ଏଥିସହିତ ସଂଘରୋଧରେ ରହିବାକୁ ପଡିବ। କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଲେ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଛନ୍ତି। ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ଟିକାକରଣ ଚାଲିଛି। ଏହା ସହ ଜିଲାରେ କୋଭିଡ ଟେଷ୍ଟ ଅଧିକ ରହିଛି। ଖୋର୍ଦ୍ଧା ଗ୍ରାମାଞ୍ଚଳରେ (ବିଏମ୍ସିକୁ ବାଦ ଦେଇ) ୮ଟି ଆକ୍ଟିଭ କେସ ରହିଛି।