ପୁରୁଣା ଭୁବନେଶ୍ୱର,୨୯।୧(ଡି.ଏନ୍.ଏ.): ଏକାମ୍ର କ୍ଷେତ୍ରର ଉନ୍ନତି ପାଇଁ ମିଳିତ ଟିମ୍ ପକ୍ଷରୁ ଉଚ୍ଛେଦ ଓ ଖନନ ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟ ଶୁକସାରୀ ମନ୍ଦିର ପରିସରରେ ଖନନ ବେଳେ ମାଟିତଳୁ ଏକ ମନ୍ଦିର ସଦୃଶ ଭଗ୍ନାବଶେଷ ବାହାରିଥିଲା। ଖବରପାଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ଏକ ପାର୍ଶ୍ୱ ଦେବୀଦେବ ମନ୍ଦିର ଚଟାଣର ବେସ୍ ଜଣାପଡୁଛି। ତେବେ ଏହା ସମ୍ପୂର୍ଣ୍ଣ ଖନନ ହୋଇସାରିବା ପରେ ପ୍ରକୃତ ଐତିହ୍ୟ ସମ୍ବଦ୍ଧରେ ତଥ୍ୟ ମିଳିପାରିବ ବୋଲି ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି। ଏନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି, ମନ୍ଦିରମାଳିନୀ ସହର ଏକାମ୍ର କ୍ଷେତ୍ରର ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ଅତୀତରେ ଏହି ମନ୍ଦିର ନିକଟ ଭବାନୀଶଙ୍କର ମନ୍ଦିରର ପୁନରୁଦ୍ଧାର ସମୟରେ ଅନେକ ପାର୍ଶ୍ୱଦେବୀଦେବ ମନ୍ଦିର, ପଥରରେ ବିଭିନ୍ନ କାରୁକାର୍ଯ୍ୟ ମିଳିଥଲା। ଏହା ନୂତନ ଘଟଣା ନୁହେଁ। ସମ୍ପୂର୍ଣ୍ଣ ଖନନ ହେଲେ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।