ଖର୍ଚ୍ଚଦାବି ଆଲୋଚନା: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର, ୨୨।୮(ସୁନିତ୍‌ ମିଶ୍ର): ଭାଜପା ଦଳିତ, ଆଦିବାସୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ବିରୋଧୀ। ଓଡ଼ିଶାରେ ଭାଜପା ସରକାର ପେସା ଆଇନ କେବେ ଲାଗୁକରିବେ ତା’ର ଉତ୍ତର ବିଭାଗୀୟ ମନ୍ତ୍ରୀ କୁହନ୍ତୁ। ସାରା ଦେଶରେ ଭାଜପାର ମୁଖା ବର୍ତ୍ତମାନ ଖୋଲିଗଲାଣି। ଓଡ଼ିଶାରେ ଓଡ଼ିଆ ସଂସ୍କୃତିର ସ୍ଲୋଗାନ ଦେଇ ସରକାରକୁ ଆସିଥିବା ଭାଜପା ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ କ’ଣ କଲେଣି କୁହନ୍ତୁ। ଦାଦନ ସମସ୍ୟା ଦୂରକରିବା ଲାଗି ବୁଲ୍‌ଡୋଜର ଲଗାଇବେ ଏବଂ ଜେସିବି ବନ୍ଦ କରିବେ ବୋଲି ସ୍ଲୋଗାନ ଦେଉଥିଲେ। ବୁଲ୍‌ଡୋଜର ଲଗାଇବା ଲାଗି କ’ଣ ସ୍ବତନ୍ତ୍ର ଅନୁମତି ପାଇଛନ୍ତି କି ବୋଲି ବିରୋଧୀ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ ଅଟକଳ ଖର୍ଚ୍ଚଦାବି ଆଲୋଚନା ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ଅବସରରେ ରଣେନ୍ଦ୍ର ଆହୁରି କହିଛନ୍ତି, ସରକାର ଆସିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବେ ବୋଲି କହିଥିଲେ, ସେକଥା କ’ଣ ହେଲା ତା’ର ଉତ୍ତର ଦିଅନ୍ତୁ। ରଣେନ୍ଦ୍ର ତାଙ୍କ ବକ୍ତବ୍ୟ ରଖି ସାରିବା ପରେ ଶାସକ ଦଳ ସଦସ୍ୟମାନେ ପାଲଟା ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଶାସକ ଦଳ ସଦସ୍ୟ ସନାତନ ବିଜୁଳି କହିଛନ୍ତି, ବରିଷ୍ଠ ବିଜେଡି ନେତା ଯାହା କହିଲେ ସେଥିରେ ତାଙ୍କର କିଛି ଦୋଷ ନାହିଁ। ସେ ଯେଉଁ ଆସନରେ ବସିଛନ୍ତି ତା’ର ଦୋଷ। ଗତଥର ସେମାନେ ସରକାରରେ ଥିବାବେଳେ କାହିଁ ଥରେ ହେଲେ ତାଙ୍କ ମୁହଁରୁ ଏସବୁ କଥା ଶୁଣିବାକୁ ମିଳିନାହିଁ। ଏବେ ସେପଟ ଆସନକୁ ଯିବା ପରେ ତାଙ୍କ ଜ୍ଞାନର ଭଣ୍ଡାର ବାହାରକୁ ଚାଲିଆସୁଛି। ସେ ଚିଟ୍‌ଫଣ୍ଡ କଥା ଉଠାଉଥିଲେ। ଚିଟ୍‌ଫଣ୍ଡ କେଳେଙ୍କାରୀ ବିଜେଡି ସରକାର ସମୟରେ ଆରମ୍ଭ ହୋଇଛି। ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଥିଲେ। ଏହି ଚିଟ୍‌ଫଣ୍ଡ ଦୁର୍ନୀତିରେ ଆଦିବାସୀ ଓ ହରିଜନମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏବେ ବି ଚିଟ୍‌ଫଣ୍ଡ କଥା ଉଠିଲେ ବହୁ ବିଜେଡି ନେତାଙ୍କ ଛାତି ଧଡ଼ ଧଡ଼ ହୁଏ। ବିଜେଡି ସରକାର ସମୟରେ ଏକ କ୍ୟାବିନେଟ୍‌ ନିଷ୍ପତ୍ତି ହେଲା ଆଦିବାସୀମାନଙ୍କ ଜମି ଅଣଆଦିବାସୀମାନେ କିଣିପାରିବେ। ହେଲେ ଆମେ ସେତେବେଳେ ବିରୋଧୀ ଦଳରେ ଥିଲୁ, ଏହାକୁ ପ୍ରବଳ ବିରୋଧ କରିଥିଲୁ। ଶେଷରେ ସେମାନେ ଏହି କ୍ୟାବିନେଟ୍‌ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟହେଲେ। ଶିଳ୍ପପତିମାନଙ୍କୁ ଖୁସି କରିବାକୁ ବିଜେଡିର ଏହି ଷଡ଼ଯନ୍ତ୍ର ଆଦିବାସୀମାନେ ବୁଝିପାରି ଭାଜପାକୁ ଭୋଟ ଦେଇ ସରକାରକୁ ଆଣିଥିବା ସନାତନ କହିଛନ୍ତି।
ଶାସକ ଦଳ ସଦସ୍ୟ ରଘୁନାଥ ଜଗଦଳା କହିଛନ୍ତି, ବରିଷ୍ଠ ବିଜେଡି ସଦସ୍ୟଙ୍କ କଥା ଶୁଣିବା ପରେ ଗୋଟିଏ କଥା ବୁଝାପଡୁଛି ଏଠି ଚାଲୁଣି କହୁଛି ଛୁଞ୍ଚିକୁ। ବିରୋଧୀ ସଦସ୍ୟ ବହୁ ଜଲ୍‌ଦି ବ୍ୟସ୍ତ ହୋଇପଡୁଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଏ ବିଭାଗ ହେଉଛି ଏ ରାଜ୍ୟରେ ବସବାସ କରୁଥିବା ଓବିସି, ଅନୁସୂଚିତ ଜନଜାତି, ଜାତି ବର୍ଗ ଲୋକଙ୍କ ବିକାଶ ପାଇଁ । ଆଦିବାସୀ ବର୍ଗଙ୍କ ବିକାଶ ପାଇଁ ସରକାର କ’ଣ କରିବେ ସେକଥା କୁହନ୍ତୁ। ମୋହନ ଚରଣ ମାଝୀଙ୍କୁ ଆଦିବାସୀ ସମ୍ପ୍ରଦାୟରୁ ମୁଖ୍ୟମନ୍ତ୍ରୀ କଲେ, ମାତ୍ର ତାଙ୍କର ସରକାରରେ କେତେ କାଟ୍‌ତି ସେକଥା ସମସ୍ତେ ଜାଣିଛନ୍ତି। ଆଦିବାସୀ ବର୍ଗରୁ ଜଣଙ୍କୁ ରାଷ୍ଟ୍ରପତି କଲେ ବୋଲି ଭାଜପା ଡିଣ୍ଡିମ ପିଟୁଛି ହେଲେ ରାମ ମନ୍ଦିରକୁ ପ୍ରବେଶ କରିବା ବିଷୟ କେହି ଭୁଲିନାହାନ୍ତି। ପାର୍ଲାମେଣ୍ଟ ଉଦ୍‌ଘାଟନ ସମୟରେ ରାଷ୍ଟ୍ରପତିଙ୍କୁ କେତେ ସମ୍ମାନ ମିଳିଲା ସେକଥା ମଧ୍ୟ ସମସ୍ତେ ଜାଣିଛନ୍ତି ବୋଲି କାଡାମ କହିଛନ୍ତି। ଶାସକ ଦଳ ସଦସ୍ୟ ଭାସ୍କର ମଢ଼େଇ କହିଛନ୍ତି, ଭାଜପା ଏକ ମାତ୍ର ଦଳ ଯିଏ ଆଦିବାସୀଙ୍କ କଥାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି। ରାଜ୍ୟ ମନ୍ତ୍ରିମଣ୍ଡଳକୁ ଦେଖିଲେ ସେକଥା ବୁଝିହେବ। ବିରୋଧୀଙ୍କ କାମ ବିରୋଧ କରିବେ, ସେଥିରେ କିଛି ଅସୁବିଧା ନାହିଁ। ହେଲେ ବିରୋଧୀମାନେ ଗଠନମୂଳକ ପ୍ରସ୍ତାବ ମଧ୍ୟ ଦେବା ଦରକାର ବୋଲି ସେ କହିଛନ୍ତି। ବିଜେଡି ସଦସ୍ୟ ମନୋହର ରନ୍ଧାରୀ କହିଛନ୍ତି, ଗତଥର ତୁଳନାରେ ଏଥର ଏହି ବିଭାଗର ବଜେଟ ଦୁଇଗୁଣା ହେବ ବୋଲି ଆଶା କରୁଥିଲୁ। ହେଲେ ତାହା ହେଲାନାହିଁ। ରାଜ୍ୟରେ ୧୯,୬୩୧ଟି ଆଦିବାସୀ ଗ୍ରାମ ରହିଛି। ସେଥିରୁ ୫୦୦ ଗ୍ରାମକୁ ୫ ବର୍ଷରେ ଆଦର୍ଶ ଗ୍ରାମ କରିବା କଥା ସରକାର କହୁଛନ୍ତି। ତେବେ ଏ କଥାର ସତ୍ୟତା କେତେ ସେକଥା ଜଣାପଡୁଛି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସି.ଏସ୍‌. ରାଜନ ଏକ୍କା, ରମେଶ ଚନ୍ଦ୍ର ବେହେରା, ନରସିଂହ ଭତ୍ରା, ରୂପୁ ଭତ୍ରା ଏବଂ ଜଲେନ୍‌ ନାଏକ ଆଲୋଚନାରେ ଭାଗନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତିପ୍ରବଳ ବର୍ଷା ଆଶଙ୍କା: ୪ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୬ା୧୦:ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ...

ପୁଣି ଆସିପାରେ ଆଉ ଏକ ବାତ୍ୟା: ଏହି ଦିନ ହେବ…

ଭୁବନେଶ୍ୱର,୨୬ା୧୦(ଅନିଲ ଦାସ):ବାତ୍ୟା ‘ଦାନା’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି। ଏହାର ବେଗ ଅଧିକ ନ ଥିବାରୁ ଓଡ଼ିଶା ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ତେବେ ରାଜ୍ୟ ଉପରୁ...

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri