Categories: ଜାତୀୟ

ସିଡିଏସ୍‌ ନିଯୁକ୍ତି ଲାଗି ବଦଳିଲା ନିୟମ

ନୂଆଦିଲ୍ଲୀ,୮।୬: ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ଲାଗି କେନ୍ଦ୍ର ସରକାର ପ୍ରତିରକ୍ଷା ନିୟମାବଳୀରେ ସଂଶୋଧନ କରିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୬୨ ବର୍ଷରୁ କମ୍‌ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ ଜେନେରାଲ, ଏୟାର ମାର୍ଶାଲ ଏବଂ ଭାଇସ ଆଡମିରାଲ ଏହି ପଦବୀ ଲାଗି ଯୋଗ୍ୟ ବିବେଚିତ ହୋଇପାରିବେ। ସଂଶୋଧିତ ନିୟମ ଅନୁଯାୟୀ ସ୍ଥଳସେନା, ବାୟୁସେନା ଓ ନୌସେନାର କାର୍ଯ୍ୟରତ ମୁଖ୍ୟମାନଙ୍କ ସମେତ ଉପରୋକ୍ତ ଅଧିକାରୀମାନଙ୍କୁ ସୈନ୍ୟବାହିନୀର ସର୍ବୋଚ୍ଚ ପଦବୀରେ ନିଯୁକ୍ତି ପାଇଁ ବିଚାରକୁ ନିଆଯାଇପାରିବ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୮ରେ ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଏହି ପଦବୀ ଖାଲି ପଡ଼ିଛି। ଉକ୍ତ ପଦବୀ ପୂରଣ ଲାଗି ସରକାର ସୋମବାର ବାୟୁସେନା, ସ୍ଥଳସେନା ଓ ନୌସେନା ପାଇଁ ଅଲଗା ବିଜ୍ଞପ୍ତି ଜାରି କରିଛନ୍ତି। ସାର୍ବଜନିକ ସ୍ବାର୍ଥ ଦୃଷ୍ଟିରୁ ଜରୁରୀ ଅନୁଭବ କଲେ, କେନ୍ଦ୍ର ସରକାର ୬୨ ବର୍ଷ ହୋଇ ନ ଥିବା ଉପରୋକ୍ତ ଯେକୌଣସି ଅଧିକାରୀଙ୍କୁ ସିଡିଏସ୍‌ ନିଯୁକ୍ତ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ସରକାର ଆବଶ୍ୟକ ମନେକଲେ ସିଡିଏସ୍‌ଙ୍କ ସର୍ବାଧିକ ବୟସ ୬୫ ବର୍ଷ ପରେ ମଧ୍ୟ ବଢ଼ାଇପାରିବେ। ସେନାର ୩ ବାହିନୀର କାର୍ଯ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରିବା ଓ ଦେଶର ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ଜେନେରାଲ ରାଓ୍ବତ ୨୦୨୦ ଜାନୁୟାରୀ ୧ରେ ପ୍ରଥମ ସିଡିଏସ୍‌ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

Share