ମୁମ୍ବାଇ,୮।୧୨: କରୋନା କାଳରେ ଡିଜିଟାଲ ନେଣଦେଣ ପ୍ରକ୍ରିୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ରିଅଲ ଟାଇମ୍ ଗ୍ରସ୍ ସେଟଲମେଣ୍ଟ(ଆର୍ଟିଜିଏସ୍) ସିଷ୍ଟମ୍ ଡିସେମ୍ବର ୧୪ ତାରିଖରୁ ୨୪ ଘଣ୍ଟା ଧରି କାମ କରିବ ବୋଲି କହିଥିଲା। ଏବେ ଏହା ସପ୍ତାହର ସମସ୍ତ କାର୍ଯ୍ୟଦିବସ(ମାସର ଦ୍ୱିତୀୟ, ଚତୁର୍ଥ ଶନିବାର ଏବଂ ରବିବାରକୁ ଛାଡ଼ି)ରେ ସକାଳ ୭ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଛି। ଅଧିକ ଟଙ୍କାର ନେଣଦେଣ ପାଇଁ ଏହି ସିଷ୍ଟମର ବ୍ୟବହାର କରାଯାଇଥାଏ। ଜାଣନ୍ତୁ ଅନ୍ୟ ପରିବର୍ତ୍ତନ ବିଷୟରେ:
ପେମେଣ୍ଟ ସିଷ୍ଟମ ଚଳାଉଥିବା କମ୍ପାନୀଗୁଡିକ ପାଇବେ ଦୀର୍ଘକାଳୀନ ଲାଇସେନ୍ସ :
ଅନ୍ୟ ଏକ ଦେୟ ବ୍ୟବସ୍ଥା ଏନ୍ଇଏଫଟି ପୂର୍ବରୁ ୨୪ ଘଣ୍ଟା ଉପଲବ୍ଧ ହେଉଛି। ଦୀର୍ଘକାଳୀନ ଭିତ୍ତିରେ ପେମେଣ୍ଟ ସିଷ୍ଟମ ଚଳାଉଥିବା କମ୍ପାନୀମାନଙ୍କୁ ଲାଇସେନ୍ସ ଦେବାକୁ ମଧ୍ୟ ଆର୍ବିଆଇ ନିଷ୍ପତ୍ତି ନେଇଛି। ଆବେଦନ ପ୍ରତ୍ୟାଖ୍ୟାନ ହେବାର କିମ୍ବା ଲାଇସେନ୍ସ ପ୍ରତ୍ୟାହାର ହେବାର ଗୋଟିଏ ବର୍ଷ ପରେ ସେମାନେ ପୁନର୍ବାର ଲାଇସେନ୍ସ ପାଇଁ ଆବେଦନ କରିପାରିବେ ବୋଲି କମ୍ପାନୀଗୁଡ଼ିକୁ କୁହାଯାଇଛି।
ବର୍ତ୍ତମାନ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଯୋଗହୀନ(କନେକ୍ଟଲେସ୍ କାରବାର:
ଏହା ସହ ଆରବିଆଇ ଯୋଗାଯୋଗହୀନ କାରବାରର ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କରିଛି। ସୁରକ୍ଷିତ ଭାବେ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବାକୁ, ୟୁପିଆଇ ଅଥବା କାର୍ଡ ମାଧ୍ୟମରେ ଯୋଗାଯୋଗହୀନ(କନେକ୍ଟଲେସ୍) କାରବାରର ସୀମା ୨୦୨୧ ଜାନୁୟାରୀ ପହିଲାରୁ ୨୦୦୦ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏହା ସହ ଜଡିତ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ପୃଥକ ଭାବରେ ଜାରି କରାଯିବ ବୋଲି ଆର୍ବିଆଇ ମଧ୍ୟ କହିଛି।
ଏନ୍ଇଏଫ୍ଟି ଏବଂ ଆର୍ଟିଜିଏସ୍ ନେଣଦେଣ ଉପରେ ଚାର୍ଜ ବନ୍ଦ:
ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ଜୁଲାଇ ୨୦୧୯ରୁ ଏନ୍ଇଏଫ୍ଟି ଏବଂ ଆର୍ଟିଜିଏସ୍ନ୍ ମାଧ୍ୟମରେ ନେଣଦେଣ ପାଇଁ ଶୁଳ୍କ ବନ୍ଦ କରି ଦେଇଛି। ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ଏନ୍ଇଏଫଟି ବ୍ୟବହୃତ ହେଉଥିବାବେଳେ ଆର୍ଟିଜିଏସ୍ ମାଧ୍ୟମରେ ବଡ଼ ନେଣଦେଣ କରାଯାଇଥାଏ।
ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ନିର୍ମାଣ କରାଯିବ କେନ୍ଦ୍ର:
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଲୋକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ ଆର୍ଥିକ ସାକ୍ଷରତା କେନ୍ଦ୍ର (ସିଏଫ୍ଏଲ୍) ବର୍ତ୍ତମାନ ୧୦୦ଟି ବ୍ଲକରେ କାର୍ଯ୍ୟ କରୁଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ବ୍ଲକରେ ପର୍ଯ୍ୟାୟ କ୍ରମେ ଏହିପରି କେନ୍ଦ୍ର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।