କୋଭିଡ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ଶାସକ ଦଳ ନେତା: ଭାଜପା

ଭୁବନେଶ୍ୱର,୧୮।୮(ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଛି। କିନ୍ତୁ ଶାସକ ଦଳ ଏମ୍‌ପି, ନେତା ଓ ପ୍ରଶାସନିକ ଅଧିକାରୀମାନେ ବାରମ୍ବାର କୋଭିଡ୍‌ ନିୟମ ଉଲ୍ଲଂଘନ କରୁଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏହି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପଠାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି, ସ୍ବାଧୀନତା ଦିବସ ଅବସରରେ ବ୍ରହ୍ମଗିରି ବ୍ଲକ ନୂଆଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ନିମନ୍ତେ ୨ଟି ଆମ୍ବୁଲାନ୍ସକୁ ପୁରୀ ଏମ୍‌ପି ପିନାକୀ ମିଶ୍ର ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଜିଲାପାଳ ଓ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ୧୦ଜଣ ଲୋକଙ୍କ ମଧ୍ୟରେ ପାଳନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବାବେଳେ ତାହାକୁ ଅଣଦେଖା କରାଯାଇଛି। କୋଭିଡ୍‌କୁ ପ୍ରତିହତ କରିବା ଦାୟିତ୍ୱରେ ଥିବା ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ଲୋକ ପ୍ରତିନିଧିମାନେ ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ଲଳିତେନ୍ଦୁ ଉଲ୍ଲେଖ କରିଛନ୍ତି।

Share