ନୂଆଦିଲ୍ଲୀ,୨୭ା୧୨(ପି.ଟି.): ଗଣତନ୍ତ୍ରକୁ ଦୁର୍ବଳ କରିବା, ପାର୍ଲାମେଣ୍ଟ ବ୍ୟବସ୍ଥାକୁ ନଷ୍ଟ କରିବା ଏବଂ ସମ୍ବିଧାନର ତଣ୍ଟି ଚିପିଦେବା ପାଇଁ ଏମ୍ପିମାନଙ୍କ ନିଲମ୍ବନକୁ ଶାସକ ଦଳ ଅସ୍ତ୍ର ଭାବେ ବ୍ୟବହାର କରିଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍ ଧନ୍କରଙ୍କୁ ପତ୍ର ଲେଖି ଜଣାଇଛନ୍ତି। ପାର୍ଲାମେଣ୍ଟ ପ୍ରତି ସରକାରଙ୍କ ଅତ୍ୟାଚାରୀ ଓ ଅଂହକାରୀ ମନୋଭାବକୁ ରାଜ୍ୟ ସଭା ଅଧ୍ୟକ୍ଷଙ୍କ ପତ୍ର ଯଥାର୍ଥ ଦର୍ଶାଇବା ଦୁର୍ଭାଗ୍ୟଜନକ ବୋଲି ଖାର୍ଗେ କହିଛନ୍ତି। ଜଣେ ରାଜ୍ୟ ସଭା ଅଧ୍ୟକ୍ଷ ଭାବେ ନିରପେକ୍ଷତାର ସହ ତାଙ୍କ ଉଦ୍ବେଗକୁ ଅନୁଧ୍ୟାନ କରିବା ପାଇଁ ଖାର୍ଗେ ନିବେଦନ କରିଛନ୍ତି। ଏମ୍ପିମାନେ ଭୋଟରଙ୍କ ପ୍ରତିନିଧି। ୧୪୬ ଏମ୍ପିଙ୍କୁ ନିଲମ୍ବନ କରିବା ଦ୍ୱାରା ସେମାନଙ୍କ ଭୋଟରମାନଙ୍କ ସ୍ବରକୁ ସରକାର ଚାପି ଦେଇଥିବା କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।