ଭାରତୀୟଙ୍କୁ ବିଦା କଲା ରୁଷିଆ ସେନା

ନୂଆଦିଲ୍ଲୀ,୨୭।୨:ରୁଷିଆ ସେନାରେ ଅନେକ ଭାରତୀୟ ଯୁବକ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଭଲ ଦରମାରେ ଚାକିରି କରିବା ଲାଗି ପ୍ରଲୋଭିତ ହୋଇ ରୁଷିଆ ଯାଇ ସେମାନେ ସେଠାରେ ରୁଷୀୟ ସେନା ପାଇଁ ଯୁଦ୍ଧ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ରୁଷୀୟ ସେନାରେ ହେଲ୍ପର ଭାବେ କାମ କରୁଥିବା ଗୁଜରାଟର ୨୩ ବର୍ଷୀୟ ହମିଲ ମଙ୍ଗୁକିୟା ୟୁକ୍ରେନ୍‌ ସହ ଯୁଦ୍ଧରେ ସାମିଲ ଥିବାବେଳେ ଏୟାରଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଛନ୍ତି। ୨ ଦିନ ପୂର୍ବରୁ ତାଙ୍କ ପରିବାରକୁ ଏହି ଖବର ମିଳିଥିଲା। ମଙ୍ଗୁକିୟା ଏକ ଅନ୍‌ଲାଇନ ବିଜ୍ଞାପନ ଜରିଆରେ ରୁଷିଆରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ସେ ଗତ ଡିସେମ୍ବର ୧୪ରେ ଚେନ୍ନାଇରୁ ଯାଇ ମସ୍କୋରେ ପହଞ୍ଚତ୍ବା ପରେ ତାଙ୍କୁ ରୁଷିଆ ସେନାରେ ସହାୟକ ଭାବେ ନିଯୁକ୍ତ କରାଯାଇଥିଲା। କିଛିଦିନ ପୂର୍ବରୁ ପ୍ରଥମ ବେତନ ଭାବେ ୨.୩ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ହମିଲଙ୍କ ମୃତ୍ୟୁ ପରେ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ଭାରତୀୟମାନେ ଆତଙ୍କିତ ହେବା ସହ ସ୍ବଦେଶ ଫେରିବା ପାଇଁ ରୁଷିଆରେ ଅବସ୍ଥାପିତ ଭାରତୀୟ ଦୂତାବାସ ନିକଟରେ ଆବେଦନ କରିଥିଲେ। ଏହି ଘଟଣାରେ ଭାରତ ବିଭିନ୍ନ ମହଲରେ ଅପଦସ୍ଥ ହେବା ପରେ ରୁଷିଆ ଉପରେ ଚାପ ପକାଇଥିଲା। ଶେଷରେ ରୁଷିଆ ସେନା ଭାରତୀୟମାନଙ୍କୁ ବିଦା କରିଦେଇଛି।
ଭାରତରେ ବେରୋଜଗାରି ବଢ଼ୁଥିବାରୁ କାମଧନ୍ଦା ନ ପାଇ ଯୁବବର୍ଗ ବିଦେଶମୁହଁା ହେଉଛନ୍ତି। ସେମାନେ ଅନେକ ସମୟରେ ଦଲାଲମାନଙ୍କ ଠକାମିର ଶିକାର ହେବା ସହ ବିପଜ୍ଜନକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଗତବର୍ଷ ନଭେମ୍ବରରୁ ରୁଷିଆ-ୟୁକ୍ରେନ୍‌ ସୀମାର ମାରିଉପୋଲ, ଖର୍କିଭ, ଡୋନେସ୍କ, ରୋସ୍ତଭ-ଅନ୍‌-ଡନ୍‌ରେ ପ୍ରାୟ ୧୮ ଜଣ ଭାରତୀୟ ଫସିରହିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ କେତେଜଣ ରୁଷିଆ ସେନାରେ ସହାୟକ ଭାବେ ୟୁକ୍ରେନ୍‌ ଯୁଦ୍ଧରେ ସାମିଲ ଥିଲେ। ହାଇଦ୍ରାବାଦର ଜଣେ ଯୁବକ ରୁଷିଆ ସେନାରେ ସାମିଲ ହୋଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ କରୁଥିବାରୁ ତାଙ୍କୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସିଙ୍କୁ ଜଣାଇଥିଲେ। ଗତ ମାସ ୨୫ରେ ଓଓ୍ବାଇସି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ମସ୍କୋରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖି ରୁଷିଆରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। କେବଳ ହାଇଦ୍ରାବାଦ ନୁହେଁ, ଉତ୍ତରପ୍ରଦେଶ, ଗୁଜରାଟ, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରୁ ଯୁବକମାନେ ରୁଷିଆ ସେନାରେ ନିୟୋଜିତ ହୋଇଥିବା ଜଣାପଡ଼ିଥିଲା। ମସ୍କୋ ସହ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏନେଇ ଯୋଗାଯୋଗରେ ରହିଥିବା ଗତ ସପ୍ତାହରେ ଏହାର ମୁଖପାତ୍ର ରଣଧୀର ଜୟସ୍ବାଲ କହିଥିଲେ। ଭାରତୀୟମାନଙ୍କୁ ୟୁକ୍ରେନ୍‌ର ଯୁଦ୍ଧ ଅଞ୍ଚଳଠାରୁ ଦୂରେଇ ରହିବା ସହ ସତର୍କ ହେବାକୁ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ମାମଲାକୁ ରୁଷୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ଼ ଭାବେ ଉଠାଯାଇଥିଲା। ସେହିପରି ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଥିବା ମାମଲାଗୁଡ଼ିକୁ ନୂଆଦିଲ୍ଲୀରେ ଥିବା ରୁଷିଆ ଦୂତାବାସକୁ ଜଣାଇ ଦିଆଯାଇଥିଲା। ଫଳରେ ରୁଷୀୟ ସେନାରୁ ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।

Share