Categories: ଜାତୀୟ

ବହିଷ୍କୃତ ମନ୍ତ୍ରୀଙ୍କୁ ଗୃହରୁ ଘୋଷାଡ଼ି ବାହାରକଲେ

ନୂଆଦିଲ୍ଲୀ,୨୫ା୭: ରାଜସ୍ଥାନ ମନ୍ତ୍ରିମଣ୍ଡଳରୁ ଶୁକ୍ରବାର ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କୁ ସୋମବାର ବିଧାନସଭାରୁ ଘୋଷାଡ଼ି ବାହାର କରିଦିଆଯାଇଛି। ସୋମବାର ରାଜସ୍ଥାନ ବିଧାନସଭାରେ ଅଭୂତପୂର୍ବ ଘଟଣା ଦେଖିବାକୁ ମିଳିଥିଲା। ବହିଷ୍କୃତ ମନ୍ତ୍ରୀ ଗୃହରେ ଏକ ଲାଲ୍‌ ରଙ୍ଗର ଡାଏରି ହଲାଇ ସେଥିରେ ଆର୍ଥିକ କାରବାରରେ ଅନିୟମିତତା ସମ୍ପର୍କିତ ସମସ୍ତ ବିବରଣୀ ରହିଥିବା ଦାବି କରିଥିଲେ। ତାଙ୍କୁ ଗୃହରୁ ଘୋଷାଡ଼ି ବାହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଶୂନ୍ୟକାଳ ବେଳେ ଗୁଧା ବାସସ୍ପତି ସି.ପି. ଜୋଷୀଙ୍କ ଆସନ ପାଖକୁ ଯାଇ ଡାଏରି ଦେଖାଇବା ସହ ଯୁକ୍ତିତର୍କ କରିଥିଲେ। ବାଚସ୍ପତି ତାଙ୍କୁ ଚାମ୍ବରକୁ ଯାଇ ଆଲୋଚନା କରିବାକୁ କହିଥିଲେ। ଏହା ପରେ ଗୁଧା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିଓ୍ବାଲଙ୍କ ପାଖକୁ ଯାଇ ତାଙ୍କ ସହ ମୁହଁାମୁହିଁ ହୋଇଥିଲେ। ଏହି ସମୟରେ କଂଗ୍ରେସ ବିଧାୟକ ରଫିକ୍‌ ଖାନ୍‌ ତାଙ୍କୁ ଠେଲିଦେଇଥିବାବେଳେ ଅନ୍ୟ ବିଧାୟକମାନେ ତାଙ୍କୁ ଗୃହ ବାହାରକୁ ନେଇଯିବାକୁ ଉଦ୍ୟମ କରିଥିଲେ। ଭାଜପା ବିଧାୟକମାନେ ଲାଲ୍‌ ଡାଏରି ସମ୍ପର୍କରେ ସରକାରଙ୍କୁ ଜବାବ ମାଗିବା ସହ ପ୍ରତୀକାତ୍ମକ ଡାଏରି ହଲାଇଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

Share