କାଜୁ ଜଙ୍ଗଲ ସଂଲଗ୍ନ ସୁରକ୍ଷା ବନ୍ଧ ପ୍ରଭାବିତ

ମହାକାଳପଡ଼ା,୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ମହାନଦୀରେ ବନ୍ୟାଜଳ ପ୍ରବେଶ କରିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ନିକଟରେ ମହାନଦୀ ବଙ୍ଗୋପସାଗର ମୁହାଁଣରେ ମିଶିଛି। ମହାନଦୀର ବନ୍ୟାଜଳ ଦ୍ୱାରା ବାହାକୁଦ କାଜୁ ଜଙ୍ଗଲ ସୁରକ୍ଷା ବନ୍ଧ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ବୁଧବାର ସାମୁଦ୍ରିକ ଜୁଆର ମାଡ଼ି ଆସିବା ଯୋଗୁ କାଜୁ ଜଙ୍ଗଲ ପାଣିରେ ବୁଡ଼ି ରହିଛି। କେତେକ ସ୍ଥାନରୁ ବାଲି ଅତଡ଼ା ଧସିବାରେ ଲାଗିଛି। ଅନେକ କାଜୁ ଗଛ ମହାନଦୀରେ ଭାସି ଯାଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବାହାକୁଦ କାଜୁ ଜଙ୍ଗଲ ୧୮୨ ଏକର ଜମିରେ ରହିଛି। ସେଠାରେ ୫ ହଜାର କାଜୁ ଗଛ ଠିଆ ହୋଇଛି। ମହାନଦୀରେ ବନ୍ୟାଜଳ ଆସିବା ଯୋଗୁ କାଜୁ ଜଙ୍ଗଲ ସଂଲଗ୍ନ ବାଲି ଅତଡ଼ା ଖସିବା ଯୋଗୁ ଶତାଧିକ ଗଛ ନଦୀ ଗର୍ଭରେ ଲୀନ ହୋଇ ଯାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷେ ସ୍ଥାନୀୟ ମତ୍ସଜୀବୀ ଲଘୁଚାପ ଜନିତ ବର୍ଷା , ସାମୁଦ୍ରିକ ଜୁଆର ଓ ବନ୍ୟା ପରିସ୍ଥିତି ଯୋଗୁ ହାତବାନ୍ଧି ଘରେ ବସିଛନ୍ତି। ଆସନ୍ତା ୨ରୁ ୩ ଦିନ ମାଛ ଧରିବା ସମ୍ଭବ ହୋଇନି ବୋଲି ମତ୍ସ୍ୟଜିବୀ କୈଳାସ ମାଝି ,ଗନ୍ଧର୍ବ ବେହେରା , ବାବୁ ମାଝି , ସେକ ଜବାର , ନନ୍ଦ କିଶୋର ବେହେରା ପ୍ରମୁଖ କହିଛନ୍ତି। ଏପରି ବନ୍ୟା ପରିସ୍ଥିତିରେ ଛୋଟ ଡଙ୍ଗାରେ ମାଛ ମାରିବା ବିପଦପୂର୍ଣ୍ଣ ବୋଲି ସେମାନେ କହିଛନ୍ତି।

Share