Advertisement

ଆଶ୍ରମରେ ସନ୍ଥଙ୍କୁ ଗଳାକାଟି ହତ୍ୟା

ଅତାବିରା,୨୨।୨: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ରେଙ୍ଗାଲି କ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ମାତାଡ଼େରା ଶିବବାଳା ଯୋଗେଶ୍ୱରୀ ଦେବୀ ଆଶ୍ରମରେ ଜଣେ ସନ୍ଥଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ସ୍ବାମୀ ଦାମୋଦର ସଦା ବାବା(୭୫)। ସେ ସୋନପୁର ଜିଲାର ମୂଳ ବାସିନ୍ଦା । ସୋମବାର ଅତାବିରା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନା ପଠାଯାଇଛି। ଏ ନେଇ ଅତାବିରା ଥାନାରେ ଏକ ହତ୍ୟା ମାମଲା(ନଂ.୫୦/୨୧) ରୁଜୁ ହୋଇଛି । ତେବେ ତାଙ୍କୁ କିଏ କେଉଁ କାରଣରୁ ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। ପ୍ରକାଶ ଯେ, ୧୯୭୫ରୁ ଉକ୍ତ ଆଶ୍ରମ ସ୍ଥାପିତ ହୋଇଛି । ଆଶ୍ରମରେ ସ୍ବାମୀ ଦାମୋଦର ରହି ଆସୁଥିଲେ । ତେବେ ଗତ ବୁଧବାର ଦିନଠାରୁ ତାଙ୍କୁ ଆଖପାଖ ଲୋକେ ଦେଖିବାକୁ ପାଇ ନ ଥିଲେ । ଅନ୍ୟପକ୍ଷେ ଆଶ୍ରମର ବାହାର ପଟୁ ତାଲା ପଡ଼ିଥିବା ବେଳେ ଭିତରୁ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅତିରିକ୍ତ ତହସିଲଦାର ସୌର୍ଯ୍ୟରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ପୋଲିସ ତାଲା ଖୋଲି ମୃତଦେହ ଜବତ କରିଥିଲା। ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ, ଏସ୍‌ଡିପିଓ ଦୀପକ କୁମାର ଗୋଚ୍ଛାୟତ, ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ପ୍ରମୁଖ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ଗଳା କଟାଯିବା ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ଆଶ୍ରମର ବାହାର ପଟୁ ତାଲା ମାରି ଖସି ଯାଇଥିବା ପୋଲିସ ଅନୁମାନ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share