ଭୋପାଳ, ୧୩ା୫: ମଧ୍ୟପ୍ରଦେଶ ଲୋକାୟୁକ୍ତ ପୋଲିସର ଏକ ଟିମ୍ ଜଣେ ମହିଳା ଠିକା ଇଞ୍ଜିନିୟରଙ୍କ ଘର ଉପରେ ଚଢ଼ାଉ କରି ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛନ୍ତି। ହେମା ମୀନା ନାମ୍ନୀ ଏହି ଇଞ୍ଜିନିୟରଙ୍କର ୧୦ଟି ଲକ୍ଜୁରି କାର, ୩୦ ଲକ୍ଷ ଟଙ୍କା ମୂଲ୍ୟର ସ୍ମାର୍ଟ ଟିଭି ଓ ବିଦେଶୀ କୁକୁର ରହିଛି। ଭୋପାଳ ନିକଟ ବିଲଖିରିୟାରେ ତାଙ୍କ ବାପାଙ୍କ ନାଁରେ ୨୦ ହଜାର ବର୍ଗଫୁଟରେ ସେ ନିର୍ମାଣ କରିଥିବା ବଙ୍ଗଳାରେ ୪୦ଟି ପ୍ରକୋଷ୍ଠ ରହିଛି, ଯାହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ। ମଧ୍ୟପ୍ରଦେଶ ପୋଲିସ ହାଉସିଂ କର୍ପୋରେଶନରେ ଠିକାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଇନ୍ଚାର୍ଜ ଥିବା ହେମାଙ୍କ ମାସିକ ବେତନ ୩୦ ହଜାର ଟଙ୍କା। ଆୟ ତୁଳନାରେ ତାଙ୍କ ସମ୍ପତ୍ତି ୨୩୨ ପ୍ରତିଶତ ଅଧିକ ବୋଲି ତଦନ୍ତରୁ ଜଣାପଡ଼ିଛି। ୨୦୨୦ରେ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ ଚଢ଼ାଉ କରାଯାଇଥିଲା ବୋଲି ଲୋକାୟୁକ୍ତ ଏସ୍ପି ମନୁ ବ୍ୟାସ କହିଛନ୍ତି।