ଜନଜାତି ବହୁଳ ଜିଲାରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ଦରମା ୧୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨।୩(ଅସମାପିକା ସାହୁ): ଜନଜାତି ବହୁଳ ଜିଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାଇଁ ଖୁସି ଖବର । କଳା ଓ କ୍ରୀଡା ଶିକ୍ଷକଙ୍କ ଦରମା ବୃଦ୍ଧି କରିବା ପରେ ଆଉ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଶିକ୍ଷକଙ୍କ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସିଏମ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜାରି କରି ସୂଚନା ଦିଆଯାଇଛି ।
ସୂଚନାଥାଉ କି, ରାଜ୍ୟର ଜନଜାତି ବହୁଳ ଜିଲାମାନଙ୍କରେ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଛି।

ବହୁଭାଷୀ ଶିକ୍ଷକଙ୍କୁ ଯୋଗ୍ୟତା ଭିତ୍ତିରେ ନିୟମିତ ମଧ୍ୟ କରାଯିବା ନେଇ ଘୋଷଣା କରାଯାଇଛି । ଏହି ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କ ପାରିତୋଷିକ ୫୩୭୯ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏତଦବ୍ୟତୀତ ଯୋଗ୍ୟତା ଭିତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ବହୁଭାଷୀ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share