ନୂଆଦିଲ୍ଲୀ,୨୮।୧୧- ଚଳିତ ବର୍ଷ ପାର୍ବଣରେ ଦେଶର ଇ-କମର୍ସ କମ୍ପାନୀଗୁଡିକରେ ଜୋରଦାର କାରବାର ହୋଇଛି। କମ୍ପାନୀଗୁଡିକ ପ୍ରାୟ ୫୮ ହଜାର କୋଟି ଟଙ୍କାର ମୋଟ କାରବାର ହାସଲ କରିଛନ୍ତି। କରୋନା ମହାମାରୀ ଯୋଗୁ ବଜାର ପ୍ରଭାବିତ ରହିଥିଲା। ଏଭଳି ସ୍ଥିତିରେ ଇ-କମର୍ସର ଏଭଳି କାରବାର ସ୍ତର ହାସଲ ଲୋକଙ୍କ କ୍ରୟ ଟ୍ରେଣ୍ଡକୁ ଦେଖାଉଛି। ଅର୍ଥାତ ଲୋକମାନେ ଇ-କମର୍ସରୁ କ୍ରୟ ବଢାଇଥିବା ଜଣାପଡିଛି। ଗତ ବର୍ଷ ପାର୍ବଣରେ ପ୍ରାୟ ୩୫ ହଜାର କୋଟି ଟଙ୍କାର କାରବାର କମ୍ପାନୀଗୁଡିକ ହାସଲ କରିଥିଲେ। ହେଲେ ଚଳିତ ବର୍ଷ ବ୍ୟବସାୟରେ ଉନ୍ନତି ହେବା ଯୋଗୁ ଗତ ବର୍ଷ ତୁୂଳନାରେ ଏହା ପ୍ରାୟ ୬୫% ବଢି ୫୮ ହଜାର କୋଟି ଟଙ୍କା ଛୁଇଁଥିବା ରେଡ୍ସିର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
ପାର୍ବଣ ପୂର୍ବ ବିକ୍ରିଠାରୁ ପାର୍ବଣ ବିକ୍ରି ବେଶ ଉନ୍ନତ ହୋଇଛି। ସେପ୍ଟେମ୍ବରରେ କମ୍ପାନୀଗୁଡିକ ୨୨ ହଜାର କୋଟି ଟଙ୍କାର ବ୍ୟବସାୟ କରିଥିଲେ। ଏହା ପାର୍ବଣରେ ୫୮ ହଜାର କୋଟିକୁ ବୃଦ୍ଧି ପାଇଛି। ପାର୍ବଣର ପ୍ରଥମ ପର୍ଯ୍ୟାୟ ବିକ୍ରିରୁ ୨୯ ହଜାର କୋଟି, ଦ୍ୱିତୀୟ ପର୍ଯ୍ୟାୟ ବିକ୍ରିରୁ ୮,୭୦୦ କୋଟି ଏବଂ ତୃତୀୟ ପର୍ଯ୍ୟାୟରେ ୧୦,୭୦୦ କୋଟି ଟଙ୍କାର ବିକ୍ରି ହୋଇଛି। ଦେଶର ଇ-କମର୍ସ କମ୍ପାନୀ ମଧ୍ୟରେ ଆମାଜନ ଏବଂ ଫ୍ଲିପକାର୍ଟ ଭଳି ସଂସ୍ଥା ରହିଛନ୍ତି। ଇ-କମର୍ସ କାରବାର ବେଶ ଆଦୃତ ହେଉଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଉନ୍ନତ ମୂଲ୍ୟ, ତ୍ୱରିତ ସାମଗ୍ରୀ ପାଇବା ଏବଂ ବାହାରକୁ ଯିବାକୁ ପଡୁ ନ ଥିବାରୁ ଏହି ପ୍ଲାଟଫର୍ମରୁ କିଣିବାକୁ ଲୋକମାନେ ଆଗଭର ହେଉଛନ୍ତି।
ମୋଟ ସାମଗ୍ରୀ ମଧ୍ୟରୁ ମୋବାଇଲର ଅଂଶ ପ୍ରାୟ ୪୬% ରହିଛି। ସାମଗ୍ରୀର ସୁଲଭ ଦରରେ ମିଳୁଥିବାରୁ ଟାୟାର-୨ ସହରରେ ଗ୍ରାହକଙ୍କ ସଂଖ୍ୟା ବଢିଛି। ଏହି ସହରଗୁଡିକରେ ଗ୍ରାହକ ପ୍ରାୟ ହାରାହାରି ୬,୬୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ଗତ ବର୍ଷ ତୁଳନାରେ ଫ୍ୟାଶନ ସେଗମେଣ୍ଟ କାରବାର ସମାନ୍ୟ କମି ୧୩% ରହିଛି। ଏହା ଗତ ବର୍ଷ ୧୬% ରହିଥିଲା। କୋଭିଡ୍-୧୯ କଟକଣା ଲାଗି ବିବାହ ଏବଂ ଉତ୍ସବ ନ ଥିବାରୁ ଲୋକମାନେ ଫ୍ୟାଶନ କ୍ରୟ କମାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେହିଭଳି ହୋମ ଏବଂ ହୋମ୍ ଫର୍ନିଶିଂ ସାମଗ୍ରୀ କାରବାର ରେକର୍ଡ ଭାଙ୍ଗିଛି। ଓ୍ବାର୍କଫ୍ରମ ହୋମ ଏବଂ ଷ୍ଟଡି ଫ୍ରମ ହୋମ ଯୋଗୁ ଏହି ପ୍ରଡକ୍ଟ ଚାହିଦା ବଢିଥିବା କୁହାଯାଉଛି।