ମହାକାଳପଡ଼ା,୨୬।୭ (ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ନାଞ୍ଜୁରା ପଞ୍ଚାୟତର ସ୍ଥାନୀୟ ସାନ୍ତାଳୀପଡ଼ା ପଣିଖିଆ ଗାଁରେ ଶନିବାର ଲୁଣା ଘେରି ବନ୍ଧ ଭାଙ୍ଗିଯାଇଛି। ଫଳରେ ପ୍ରାୟ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଗାଁରେ ସମୁଦ୍ର ଜଳ ପ୍ରବେଶ କରିଛି। ଏନେଇ ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି। ବଙ୍ଗୋପସାଗରରୁ ୩ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ। ଗାଁରେ ପଚାଶ ପରିବାରରେ ସାଢ଼େ ଚାରିଶହ ଲୋକ ବସବାସ କରନ୍ତି। ସମୁଦ୍ର ଜଳ ପ୍ରବେଶ ଯୋଗୁ ଗାଁର ଚାଷ ଜମି ପାଣିରେ ବୁଡ଼ିଯାଇଛି। ଫଳରେ ତଳି ନଷ୍ଟ ହେବାର ଆଶଙ୍କା ରହିଛି। ଏନେଇ ସାନ୍ତାଳୀ ପଡ଼ାର ସୂର୍ଯ୍ୟ ହେମ୍ବ୍ରମ, ଗଜେନ୍ଦ୍ର ମାରାଣ୍ଡି, ରାମେଶ୍ବର ମାରାଣ୍ଡି, ପୂର୍ଣ୍ଣ ଟୁଡୁ, ନବ ମାରାଣ୍ଡି, ଚରଣ ଟୁଡୁ,ଶଙ୍କର ମାରାଣ୍ଡି , ପ୍ରଧାନ ହେମ୍ବ୍ରମ ପ୍ରମୁଖ ଚାଷୀ ଘାଇ ମରାମତି କରିବାକୁ ଦାବି କରିଛନ୍ତି।