ବ୍ରହ୍ମପୁର ଅଫିସ,୨୪।୩: ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତର ବୈରିବାଡ଼ ଗ୍ରାମର ଏକ ବୁଥରେ କିଛି ସମୟ ପାଇଁ ଭୋଟଦାନ ବନ୍ଦ ରହିଥିଲା। ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କ ଯୋଗୁ ଏହି ବିଭ୍ରାଟ ହୋଇଥିଲା ବୋଲି ଚିକିଟି ବିଡ଼ିଓ ଫାଲଗୁନ ମାଝି ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ସମ୍ପୃକ୍ତ ପିତାତଳି ସରପଞ୍ଚ ପ୍ରାର୍ଥିନୀ ପି. ଧନବତୀ ବୁଧବାର ବ୍ରହ୍ମପୁର ଏସ୍ଡ଼ିଜେଏମ୍ଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ସହ ତାଙ୍କ ଜାମିନ ପାଇଁ ଆବେଦନ କରିଥିଲେ। ଏସ୍ଡ଼ିଜେଏମ୍ ଜିତେନ୍ଦ୍ରୀୟ ପାଣିଗ୍ରାହୀ ଜାମିନ ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ଗତ ଫେବୃୟାରୀ ୧୮ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ବେଳେ ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ବୈରିବାଡ଼ ଗ୍ରାମର ୧୩ ନମ୍ବର ବୁଥରେ ଭୋଟଦାନ ଚାଲିଥିଲା। ସେହି ସମୟରେ ଉକ୍ତ ପଞ୍ଚାୟତ ସରପଞ୍ଚ ପ୍ରାର୍ଥିନି ଭୋଟଦାନ କେନ୍ଦ୍ରକୁ ଯାଇଥିଲେ। ସେଠାରେ ଥିବା ବାଲଟ ପପେର ଗୁଡିକରେ ସେ ମଧ୍ୟାନ୍ନ ପ୍ରାୟ ୧୨ ଟା ୧୫ ମିନଟରେ ପାଣି ପକାଇ ଦେଇଥିଲେ। ଫଳରେ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୧୫ ମିନଟ ପରେ ପୁଣିଥରେ ଭୋଟଦାନ ଆରମ୍ଭ ହୋଇଥିଲା। ଏନେଇ ଉକ୍ତ ବୁଥରେ ପ୍ରିଜାଇଡିଂ ଅଫିସର ଥିବା ରଜନୀକାନ୍ତ ନାୟକ ଚିକିଟି ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ମାଝିଙ୍କୁ ଜଣାଇଥିଲେ। ବିଡ଼ିଓ ମାଝି ଏନେଇ ଗୋଳନ୍ଥରା
ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ନଂ.୭୫/୨୨ ରେ
ପି .ଧନବତୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା।