୪ ଫୁଟ୍‌ ଉପରକୁ ଉଠିଲା ସର୍ପେଶ୍ୱର ମନ୍ଦିର

କଟକ ଅଫିସ,୧୮ା୧୨: କଟକ ଫ୍ରେଣ୍ଡସ୍‌ କଲୋନୀରେ ଥିବା ପ୍ରାୟ ୫୦ ବର୍ଷର ପ୍ରାଚୀନ ସର୍ପେଶ୍ୱର ଶିବ ମନ୍ଦିରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଭୂମିଠାରୁ ୪ ଫୁଟ୍‌ ଉପରକୁ ଉଠାଯାଇଛି। ଏହି ମନ୍ଦିର ଉଠାଇବା କାର୍ଯ୍ୟ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଛି ବୋଲି ଫ୍ରେଣ୍ଡସ୍‌ କଲୋନୀ ପୂଜା କମିଟି ସମ୍ପାଦକ ଚନ୍ଦନ କୁମାର ସିଂହ କହିଛନ୍ତି। ମନ୍ଦିର ଗର୍ଭଗୃହରେ ବର୍ଷାପାଣି ପଶିଯାଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ଉକ୍ତ ମନ୍ଦିରକୁ ଭାଙ୍ଗି ନୂତନ ମନ୍ଦିର ନିର୍ମାଣ ପାଇଁ ଚିନ୍ତା କରାଯାଉଥିଲା। ଏ ମଧ୍ୟରେ ହରିୟାଣାର କୁରୁକ୍ଷେତ୍ର ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀ ସହ ଯୋଗାଯୋଗ କରାଯାଇଥିଲା। ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ମନ୍ଦିରକୁ ନ ଭାଙ୍ଗି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ଭୂମିଠାରୁ ଉପରକୁ ଉଠାଇ ଦେଇପାରିବେ ବୋଲି କହିଥିଲେ। ୨ ମାସ ତଳେ କମ୍ପାନୀର ବୈଷୟିକ ଟିମ୍‌ ମନ୍ଦିର ପରିଦର୍ଶନ କରି ଯୋଜନା ପ୍ରସ୍ତୁତ କରିଥିଲା। ନଭେମ୍ବର ୨୨ରେ ମନ୍ଦିର ଉପରକୁ ଉଠାଇବା କାମ ଆରମ୍ଭ ହୋଇଥିଲା। ମନ୍ଦିରର ଆକାର ଛୋଟ ହୋଇଥିବାରୁ ଚତୁଃପାର୍ଶ୍ୱକୁ ୨ ଫୁଟ ଓସାରର ଖୋଳି ଅନେକ ଜଗ୍‌ ଲଗାଯାଇଥିଲା। ମନ୍ଦିର ଉପରକୁ ଉଠାଇବା କାର୍ଯ୍ୟ ଶେଷ ହୋଇଛି। ପରେ ଲୁହାରଡ୍‌ ଷ୍ଟ୍ରକ୍‌ଚର ତିଆରି କରି ସିମେଣ୍ଟ କଂକ୍ରିଟ, ଇଟା ଯୋଡ଼େଇ ଆଦି କାର୍ଯ୍ୟ କରାଯିବ। ଆସନ୍ତା ୩/୪ ଦିନ ମଧ୍ୟରେ ଏସବୁ କାର୍ଯ୍ୟ ଶେଷ ହେବ ବୋଲି ପୂଜା କମିଟି ସମ୍ପାଦକ ସିଂହ କହିଛନ୍ତି। ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜ୍ୟୋତିରଞ୍ଜନ ରାଉତ, କୋଷାଧ୍ୟକ୍ଷ ଶାରଦାକାନ୍ତ ପରିଜା, ପୂଜା କମିଟି ସଭାପତି ପ୍ରେମାନନ୍ଦ ମିଶ୍ର ଓ ସମ୍ପାଦକ ସିଂହଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କରାଯାଉଛି।

Share