ଭୁବନେଶ୍ୱର,୭ା୨(ବ୍ୟୁରୋ): କୋଭିଡ୍ କଟକଣା ସହ ରାଜ୍ୟରେ ସୋମବାରଠାରୁ ଶିକ୍ଷାନୁଷ୍ଠାନ ଖୋଲିଛି। ଆଜି ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପୂର୍ବାହ୍ନ ୧୦ଟାରେ ସ୍କୁଲ ଘଣ୍ଟି ବାଜିବା ପରେ ଶ୍ରେଣୀଗୃହକୁ ପ୍ରବେଶ କରିଛନ୍ତି। ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପୂର୍ବାହ୍ନ ୯ରୁ ୪ ଟା ପର୍ଯ୍ୟନ୍ତ କ୍ଲାସ ହେବ। ୯ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ। ତେବେ ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ଅନୁମତି ଦିଆଯିବ ନାହିଁ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ପରିବର୍ତ୍ତେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ।
ସେହିପରି ରାଜ୍ୟରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟ ଆଜିଠୁ ଖୋଲିଛି। ଶିକ୍ଷାନୁଷ୍ଠାନ ଖୋଲିଥିଲେ ମଧ୍ୟ ଉଭୟ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ପାଠପଢ଼ା ଜାରି ରହିବ। ଶ୍ରେଣୀଗୃହରେ କୋଭିଡ୍ କଟକଣା ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୨ ବର୍ଷ ହେବ କରୋନା ଯୋଗୁ ଶିକ୍ଷାଦାନ ବ୍ୟାହତ ହୋଇଛି। ଏବେ ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଖୋଲି ପାଠପଢ଼ା ସ୍ବାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ପରିସ୍ଥିତିକୁ ଦେଖି ପରୀକ୍ଷା କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।