Advertisement

୩ ମାସ ପରେ ବି ହସ୍ତାନ୍ତର ହୋଇପାରୁନି ବିଦ୍ୟାଳୟ ଶ୍ରେଣୀଗୃହ

ଝରିଗାଁ,୧ା୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମୋଟ୍‌ ୨୬୨ ଛାତ୍ରୀଛାତ୍ରଙ୍କ ପାଇଁ ୭ ଶିକ୍ଷୟିତ୍ରୀ/ଶିକ୍ଷକ ରହିଛନ୍ତି। ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ, ଶ୍ରେଣୀ ଗୃହ ନାହିଁ। ୮ଟି ଶ୍ରେଣୀ ପାଇଁ ବ୍ୟବହାର ହେଉଛି ମାତ୍ର ୪ଟି ଶ୍ରେଣୀ ଗୃହ। ଯାହା ଫଳରେ ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ସମୟରେ ଅନ୍ୟ ଶ୍ରେଣୀର ପିଲାମାନଙ୍କ ପାଠପଢ଼ାରେ ବ୍ୟାହତ ହେଉଛି। ଶିକ୍ଷକମାନେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସବୁ ସମୟରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ୫ମ ଏସ୍‌.ଏଫ୍‌.ସି ଜିଆଇଏ ଯୋଜନା ସହାୟତାରେ ୩ ଲକ୍ଷ ୭୫ ହଜାର ଅଟକଳ ମୂଲ୍ୟରେ ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି। ଗୃହ କାର୍ଯ୍ୟ ଶେଷ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ତାହା ଆଜି ପଯର୍ର୍‌ୟନ୍ତ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର ହୋଇପାରିନାହିଁ। ଯାହାଫଳରେ ପିଲାଙ୍କୁ ଆବଶ୍ୟକ ଶ୍ରେଣୀ ଗୃହରୁ ବଞ୍ଚିତ ରହିଛନ୍ତି। ଏ ନେଇ ସଂପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେରଙ୍କୁ ଲିଖିତ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉକ୍ତ ନୂତନ ଶ୍ରେଣୀଗୃହ ହସ୍ତାନ୍ତର ହୋଇପାରି ନାହିଁ। ଏନେଇ ବିଡିଓଙ୍କୁ କହିଲେ ସେ ସଂପୃକ୍ତ ପଞ୍ଚାୟତ ଦାୟିତ୍ୱରେ ରହିଥିବା ବିଭାଗୀୟ ଯନ୍ତ୍ରୀଙ୍କୁ କୁହନ୍ତୁ ବୋଲି କହୁଛନ୍ତି। ସେହିପରି ବାଣୁଆଗୁଡ଼ା ପଞ୍ଚାୟତ ଦାୟିତ୍ୱରେ ରହିଥିବା ଯନ୍ତ୍ରୀଙ୍କୁ କହିଲେ ସେ ବିଡିଓଙ୍କ ହାତରେ ରହିଥିବା ପ୍ରକାଶ କରିଛନ୍ତି। ବିଦ୍ୟାଳୟର ସମସ୍ୟା ନେଇ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅନନ୍ୟା ଦାଶଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହାକୁ ଗୁରତ୍ୱାରୋପ ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପାଇଁ ସମ୍ପୂର୍ଣ୍ଣ ପାଚେରି, ରୋଷେଇ ଗୃହ ନ ଥିବାରୁ ବିଦ୍ୟାଳୟ ଭିତ୍ତିଭୂମି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ସମସ୍ୟାର ସମାଧାନ ନେଇ ସଂପୃକ୍ତ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ନେଇ କୁହୁରାକୋଟ ଗ୍ରାମବାସୀ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share