ନଭେମ୍ବରରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ନଭେମ୍ବରରେ ସ୍କୁଲ ଖୋଲିବ। ଏନେଇ ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ପଠାଯାଇଛି। ଅନୁମୋଦନ ପରେ ସ୍କୁଲ ଖୋଲିବା ନେଇ ବିଧିବଦ୍ଧ ଘୋଷଣା କରାଯିବ। ସ୍କୁଲ ଖୋଲିବା ପୂର୍ବରୁ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯିବ। କୋଭିଡ ସଂକ୍ରାନ୍ତ ପରବର୍ତ୍ତୀ ସମୀକ୍ଷା ପରେ ବିଧିବଦ୍ଧ ତାରିଖ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ସ୍କୁଲ ଖୋଲିବା ନେଇ ଏ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟଭାବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ପୂଜାଛୁଟି ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନଭେମ୍ବରରେ କୋଭିଡ ଗାଇଡଲାଇନ ଆସିଲେ ଏନେଇ ସ୍ପଷ୍ଟ ହେବ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ କାର୍ଯ୍ୟକାରୀ କରାଯିବ ବୋଲି ସମୀର କହିଛନ୍ତି।
ସୂଚନାଯୋଗ୍ୟ ଯେ, କୋଭିଡ-୧୯ ମହାମାରୀ ଯୋଗୁ ଦୀର୍ଘଦିନ ହେବ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଏଥିଯୋଗୁ ପିଲାମାନଙ୍କ ପାଠପଢା ମଧ୍ୟ ବ୍ୟାହତ ହୋଇଛି। ସ୍କୁଲ କେବେ ଖାଲିବ ଓ ପିଲାମାନେ ପୂର୍ବଭଳି ପାଠ ପଢିବେ ସେ ନେଇ ଅଭିଭାବକମାନେ ଚିନ୍ତାରେ ଅଛନ୍ତି।

Share