ଆସନ୍ତା ୨୬ରୁ ଖୋଲିବ ସ୍କୁଲ: ଆରମ୍ଭ ହେବ ଦଶମ, ଦ୍ୱାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଯୋଗୁ ସମସ୍ତ ସ୍କୁଲରେ ପାଠପଢ଼ା ଏକପ୍ରକାର ବନ୍ଦ ହୋଇଯାଇଛି। କରୋନାରୁ ବର୍ତ୍ତିବା ପାଇଁ ପିଲାମାନଙ୍କୁ ଅନ୍‌ଲାଇନ୍‌ ଯୋଗେ ପାଠ ପଢ଼ାଯାଉଛି। ମାତ୍ର ଏହା ଦ୍ୱାରା ଅନେକ ଛାତ୍ରୀଛାତ୍ର ଉପକୃତ ହୋଇପାରୁ ନାହାନ୍ତି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହାର ଟିକେ କମିଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ରୁ ସ୍କୁଲରେ ଦଶମ ଓ ଦ୍ୱାଦଶ ପାଠପଢ଼ା ହେବ ବୋଲି ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ଷକରୁ ଅଧିକ ହେବ ରାଜ୍ୟରେ ସ୍କୁଲ ଖୋଲି ପାରିନାହିଁ। କରୋନା ସମୟରେ ଦଶମ ଶ୍ରେଣୀ ପିଲାଙ୍କର ୧୦୦ ଦିନିଆ ପାଠପଢ଼ା ହୋଇଥିଲା। ମାତ୍ର ପରୀକ୍ଷା ବନ୍ଦ ରହିଥିଲା। ଫଳରେ ଚଳିତ ବର୍ଷ ମାଟ୍ରିକ ପିଲା ବିନା ପରୀକ୍ଷାରେ ୯୮% ପାସ୍‌ କରିଛନ୍ତି । ତେବେ ମୂଲ୍ୟାଙ୍କନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନେକ ଅଭିଭାବକ ଓ ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଥିଲେ। ଏ ସମସ୍ତ କଥାକୁ ବିଚାରକୁ ନେଇ ସ୍କୁଲ ଖୋଲିବାକୁ ସରକାର ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି।

Share