Categories: ଖେଳ

ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସାତ୍ତ୍ୱିକଙ୍କ ସ୍ମାଶ୍‌

ସୋକା(ଜାପାନ),୧୯ା୭(ପି.ଟି.): ବ୍ୟାଡ୍‌ମିଣ୍ଟନରେ ଜଣେ ପୁରୁଷ ଖେଳାଳି ହିସାବରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଦ୍ରୁତତମ ସ୍ମାଶ୍‌ ପାଇଁ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ତାଙ୍କ ସ୍ମାଶ୍‌ର ସ୍ପିଡ୍‌ ଘଣ୍ଟାପ୍ରତି ୫୬୫ କିଲୋମିଟର ରେକର୍ଡ କରାଯାଇଛି। ନିକଟରେ ତାଙ୍କ ପାର୍ଟନର ଚିରାଗ ଶେଟ୍ଟିଙ୍କ ସହ ଇଣ୍ଡୋନେସିଆ ଓପନ ସୁପର ୧୦୦୦ ଜିତିଥିବା ସାତ୍ତ୍ୱିକ ଦୀର୍ଘ ଦଶନ୍ଧି ତଳର ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ଏହି ରେକର୍ଡ ମାଲେସିଆର ତାନ ବୁନ୍‌ ହିଅଙ୍ଗ୍‌ଙ୍କ ନାମରେ ରହିଥିଲା। ୨୦୧୩ ମେ’ରେ ସେ ଘଣ୍ଟା ପ୍ରତି ୪୯୩ କିଲୋମିଟର(ଘଣ୍ଟା ପ୍ରତି ୩୦୬.୩୪ ମାଇଲ) ସ୍ମାଶ କରି ରେକର୍ଡ ପ୍ରତିଷ୍ଠା କରିଥିଲେ। ସାତ୍ତ୍ୱିକଙ୍କ ସ୍ମାଶ ଫର୍ମୁଲା ଏକ ଓ୍ବାନ କାର୍‌ରେ ସର୍ବାଧିକ ସ୍ପିଡ୍‌ ରେକର୍ଡ ଘଣ୍ଟା ପ୍ରତି ୩୭୨.୬ କିଲୋମିଟରକୁ ଅତିକ୍ରମ କରିଯାଇଛି। ଜଣେ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ଦ୍ରୁତତମ ସ୍ମାଶ କରିବାରେ ଗିନିଜ ଓ୍ବାଲର୍‌ଡ ରେକର୍ଡ ମାଲେସିଆର ତାନ୍‌ ପିଅର୍ଲିଙ୍କ ନାମରେ ରହିଛି। ତାଙ୍କ ସ୍ମାଶର ସ୍ପିଡ୍‌ ଘଣ୍ଟା ପ୍ରତି ୪୩୮ କିଲୋମିଟର (ପ୍ରାୟ ୨୭୨ ମାଇଲ) ରେକର୍ଡ କରାଯାଇଥିବା ଜାପାନର କ୍ରୀଡ଼ା ସରଞ୍ଜାମ ପ୍ରସ୍ତୁତକାରୀ କମ୍ପାନୀ ୟୋନେକ୍ସ ତରଫରୁ ଘୋଷଣା କରାଯାଇଛି। ଗିନିଜ ଓ୍ବାଲର୍‌ଡ ରେକର୍ଡର ଅଫିସିଆଲ ଜଜ୍‌ମାନଙ୍କ ଉପସ୍ଥିତିରେ ସ୍ପିଡ୍‌ର ମାପ କରାଯାଇଥିଲା। ସାତ୍ତ୍ୱିକଙ୍କ ସ୍ମାଶ୍‌ର ମାପ ଜାପାନର ସାଇତାମା ଅନ୍ତର୍ଗତ ସୋକାସ୍ଥିତ ୟୋନେକ୍ସ ଫ୍ୟାକ୍ଟ୍ରି ଜିମ୍ନାସିୟମରେ କରାଯାଇଥିଲା।

Share