ଚାଲୁଥିବା ଅବସ୍ଥାରେ ଜଳିଗଲା ସ୍କୁଟି

ବୋରିଗୁମ୍ମା/ନବରଙ୍ଗପୁର,୧୦ା୭(ବିଜୟ ସାହୁ/ସଦାଶିବ ପ୍ରହରାଜ): ରାସ୍ତା ଉପରେ ଚଳନ୍ତା ସ୍କୁଟିରେ ସୋମବାର ହଠାତ୍‌ ନିଆଁ ଲାଗି ଜଳିଯାଇଛି। ତେବେ ଏ ନେଇ ଲୋକମାନଙ୍କଠାରୁ ସୂଚନା ପାଇ ସଙ୍ଗେସଙ୍ଗେ ଚାଳକ ଗାଡି ରଖିଦେଇ ନିଜ ଜୀବନ ବଞ୍ଚାଇଥିବା ଜଣାପଡିଛି। ନବରଙ୍ଗପୁର ଜିଲା କୋରାପୁଟ ସୀମାନ୍ତ ଆଉଁଳି ଛକରେ ଏପରି ଘଟଣା ଦେଖିବାକୁ ମିଳିଛି। ନବରଙ୍ଗପୁର କେଉଟସାହିର ଆକାଶ ସାହୁ କୌଣସି କାର୍ଯ୍ୟରେ ନବରଙ୍ଗପୁର ଆସି କାର୍ଯ୍ୟ ସାରି ଜୟପୁର ଅଭିମୁଖେ ଯାଉଥିବା ବେଳେ ଆଉଁଳି ଛକଠାରେ ହଠାତ ତାଙ୍କ ସ୍କୁଟିରେ ନିଆଁ ଲାଗିଯାଇଥିଲା। ଆକାଶ ଏହା ଜାଣିପାରି ନ ଥିଲେ। ସ୍କୁଟିରେ ନିଆଁ ଲାଗିଥିବା ଦେଖି ଲୋକେ ତାଙ୍କୁ କହିବାରୁ ଆକାଶ ସଙ୍ଗେସଙ୍ଗେ ଗାଡ଼ି ରଖି ଦେଇଥିଲେ। କିଛି ସମୟ ମଧ୍ୟରେ ତାଙ୍କ ଆଖି ସାମନାରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଶର୍ଟସର୍କିଟରୁ ଏପରି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଆକାଶ ଗତ ଏକ ମାସ ତଳେ ସ୍କୁଟିଟି କିଣି ଥିଲେ।

Share