ଭୟଙ୍କର ହେଲା ସମୁଦ୍ର, ଭିତରକନିକାରେ ମାଡିଆସିଲା ପାଣି…

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେଉଛି ଦାନା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୬୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୯୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ମଝି ରାତିରେ କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ‘ଦାନା’ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ । ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ, ଯାହା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଜାରି ରହିବ ।

ସେହିପରି ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଓ ଭଦ୍ରକରେ ବାତ୍ୟାର ଅଧିକ ପ୍ରଭାବ ରହିବ। ପ୍ରବଳରୁ ଅତି ପ୍ରବଳ ପର୍ଷା ହେବା ସହ ଭୟଙ୍କର ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ତେବେ ସକାଳୁ ସକାଳୁ ଚାନ୍ଦବାଲି, ପୁରୀ, ଏବଂ କେନ୍ଦ୍ରାପଡାରେ ସକାଳୁ ସକାଳୁ ଅଧିକ ବର୍ଷା ହୋଇଛି। ଭୁବନେଶ୍ୱରରେ ମଧ୍ୟ ସକାଳୁ ବର୍ଷା ଜାରି ରହିଛି। ତେବେ ବାତ୍ୟା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ଏହା ପ୍ରଭାବରେ ଭିତରକନିକାରେ ଜୁଆର ପାଣି ମାଡି ଆସିଛି। ଏହାକୁ ଦେଖି ଭିତରକନିକାବାସୀ ଭୟଭୀତ ହୋଇଯାଇଛନ୍ତି। ବାତ୍ୟା ପୂର୍ବରୁ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ସେ କହିଛନ୍ତି, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଉପକୂଳରେ ପ୍ରବଳ ଜୁଆର ଆସିବ। ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆଶଙ୍କା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

 

Share