ସିଲ୍‌ ହେଲା ଆଉଏକ ନକଲି ଗୁଟ୍‌ଖା କାରଖାନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ):  ପୁରୁଣା ଆଇସ୍‌କ୍ରିମ ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ଗୁଟ୍‌ଖା ଓ ଜର୍ଦ୍ଦା କାରଖାନା। ବେଆଇନ ଭାବେ ହେଉଥିଲା କୋଟି କୋଟି ଟଙ୍କାର କାରବାର। ସୋମବାର ଜଗତପୁର ଥାନା ପୋଲିସ ଶିଳ୍ପାଞ୍ଚଳ ଫେଜ୍‌-୩ସ୍ଥିତ ଉକ୍ତ କାରଖାନାରେ ଚଢ଼ାଉ କରି ୫୦ ବସ୍ତା ଗୁଟ୍‌ଖା, ଜର୍ଦ୍ଦା, କଞ୍ଚା ମାଲ୍‌ ଓ ମେଶିନ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଚଢ଼ାଉ ପରେ ଉକ୍ତ କାରଖାନାକୁ ସିଲ୍‌ କରାଯାଇଥିବା ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି। ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳରେ ବ୍ୟାଗ୍‌ରୁ ମିଳିଥିବା ୩୦ ଲକ୍ଷ ଟଙ୍କା ସହ ଏହି କାରଖାନାର ଲିଙ୍କ୍‌ ରହିଥିବା ସେ କହିଛନ୍ତି।
ଉକ୍ତ ଟଙ୍କା ଜବତ ଘଟଣାର ଖୋଳତାଡ଼ବେଳେ ଅଟକ ଥିବା ମହାବୀର ପ୍ରସାଦ ନାମକ ଯୁବକ ନକଲି ଗୁଟ୍‌ଖା ଓ ଜର୍ଦ୍ଦା କାରଖାନାର କଳା କାରବାର ସମ୍ପର୍କରେ କହିଥିଲେ। ତାଙ୍କ ସୂଚନା ଆଧାରରେ ରବିବାର କଟକ ଟାଙ୍ଗୀ ଥାନା ପୋଲିସ ନିର୍ଗୁଣ୍ଡି ଷ୍ଟେଶନ ନିକଟରେ ଚାଲୁଥିବା ନକଲି ଗୁଟ୍‌ଖା ଓ ପାନମସଲା କାରଖାନା ଉପରେ ଚଢାଉ କରିଥିଲା। ମାଲିକ କ୍ଷୀରୋଦ ନାଥ ଚମ୍ପଟ ମାରିଥିବାବେଳେ ପୋଲିସ ସେଠାରୁ ବିପୁଳ ସାମଗ୍ରୀ ଜବତ କରିବା ସହ ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖି ପଚରଉଚରା କରିଥିଲା। ସେମାନଙ୍କଠାରୁ ଜଗତପୁର କାରଖାନା ସମ୍ପର୍କରେ ଟିକିନିଖି ତଥ୍ୟ ମିଳିବା ପରେ ଚଢ଼ାଉ କରାଯାଇଥିଲା। ତେବେ ନିର୍ଗୁଣ୍ଡିରେ ଥିବା କାରଖାନାରେ ପୋଲିସ ଚଢାଉ ଜାଣିବା ପରେ ଜଗତପୁର କାରଖାନାର ସମସ୍ତ କର୍ମଚାରୀ ଫେରାର ହୋଇଯାଇଥିଲେ। ଏଥିସହ ଆଗକୁ ଭୁବନେଶ୍ୱର, ଜଟଣୀ ଆଦି ଅଞ୍ଚଳରେ ଆହୁରି ଏକାଧିକ ନକଲି କାରଖାନା ରହିଥିବାରୁ ତାହାକୁ ଠାବ କରାଯିବା ସହ ସିଲ୍‌ ହେବ। ମୁଖ୍ୟ ଅଭିଯୁକ୍ତ ଓ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ବେହେରା କହିଛନ୍ତି।

Share