ରାଜଧାନୀରେ ସ୍ଥିତି ସଙ୍ଗିନ: ସିଲ୍‌ ହେଲା ୩ ଘରୋଇ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଥିବା ଅଦ୍ୱିତୀୟ ଏକାଡେମୀ, କଳିଙ୍ଗ ଏକାଡେମୀ ଏବଂ ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟାଭବନକୁ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସିଲ୍‌ କରାଯାଇଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ସବୁ ଅନୁଷ୍ଠାନକୁ ସିଲ୍‌ କରାଯାଇଥିବା ବିଏମ୍‌ସି ସୂଚନା ଦେଇଛି। ସୂଚନାଯୋଗ୍ୟ, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଗତ ୧୯ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ହଷ୍ଟେଲଗୁଡ଼ିକୁ ଖାଲି କରିବାକୁ ମଧ୍ୟ କହିଥିଲେ। ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ଏହି ନିୟମର ପାଳନ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିଥିବାବେଳେ ରାଜଧାନୀର କେତେକ ଘରୋଇ ଶିକ୍ଷାନୁଷ୍ଠାନ ଏହାର ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ଅନ୍‌ଲାଇନ୍‌ କ୍ଲାସ ପାଇଁ ଅନୁମତି ମିଳିଥିବାବେଳେ କେତେକ ଘରୋଇ ଅନୁଷ୍ଠାନରେ ଏଯାବତ୍‌ ଅଫ୍‌ଲାଇନରେ କ୍ଲାସ କରାଯାଉଛି। ମଙ୍ଗଳବାର ଏନେଇ ସୂଚନା ପାଇବା ପରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା।

Share