‘କୌନ ବନେଗା କରୋଡ଼ପତି’ ଶୋ ଜିତି ମଧ୍ୟ କେବଳ ମୋବାଇଲ କିଣିବାକୁ ଚାହିଁଲେ ବବିତା, କାରଣ ଜାଣି ଅମିତାଭ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ କୁଇଜ୍‌ ଶୋ’ ‘କୌନ ବନେଗା କରୋଡ଼ପତି’ରେ ଦ୍ୱିତୀୟ କୋଟିପତି ହୋଇଛନ୍ତି ବବିତା ତଡେ। ଏହା ପୂର୍ବରୁ ବିହାରର ସନୋଜ ରାଜ ୧ କୋଟି ଟଙ୍କା ଜିତିଥିଲେ। ବବିତା ଏହି ଶୋ’ରେ କୋଟିପତି ହୋଇ ମଧ୍ୟ କେବଳ ମୋବାଇଲ କିଣିବାକୁ ଚାହିଁଛନ୍ତି। ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅମିତାଭ ବଚ୍ଚନ। ବବିତା ମହାରାଷ୍ଟ୍ରର ଏକ ସ୍କୁଲରେ ମଧ୍ୟାହ୍ନଭୋଜନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରତିଦିନ ବବିତା ୪୫୦ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ରୋଷେଇ କରନ୍ତି। ସେ ମାସକୁ ମାତ୍ର ୧୫୦୦ ଟଙ୍କା ରୋଜଗାର କରନ୍ତି। ସେ କହିଛନ୍ତି, ତାଙ୍କ କାର୍ଯ୍ୟରେ ସେ ବହୁତ ଖୁସି ଅଛନ୍ତି। ପିଲାମାନେ ସେମାନଙ୍କୁ ସ୍ନେହପୂର୍ଣ୍ଣ ଭାବରେ କାକୁ ଡାକନ୍ତି, ଯାହାର ଅର୍ଥ ମାଉସୀ।
ଶୋ’ରେ ଅମିତାଭଙ୍କ ସହ କଥାବାର୍ତ୍ତା କରି ବବିତା କହିଥିଲେ, କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ। ଶୋ’ ଜିତିବା ପରେ ଅମିତାଭ ଟଙ୍କା ନେବା ପରେ କ’ଣ କରିବାକୁ ଚାହାନ୍ତି ବୋଲି ପଚାରିଥିଲେ। ସେତେବେଳେ ତାଙ୍କର ସରଳ ଉତ୍ତର ଥିଲା ନିଜ ପାଇଁ ଏକ ମୋବାଇଲ କିଣିବେ। ଅମିତାଭ କହିଥିଲେ ଏଠାକୁ ଯେଉଁମାନେ ଆସନ୍ତି ସେମାନେ ଶୋ’ ଜିତିବା ପରେ ଘର କିଣିବାକୁ ଚାହାନ୍ତି, କିଏ କରଜ ପରିଶୋଧ କରିବାକୁ ତ କିଏ ଅଲଗା କୌଣସି କାମରେ ଲଗାଇବାକୁ ଚାହାନ୍ତି। କିନ୍ତୁ ଆପଣ କେବଳ ମୋଇବାଲ କିଣିବାକୁ ଚାହୁଁଛନ୍ତି ଯାହା ଆଶ୍ଚର୍ଯ୍ୟ କରୁଛି।
ବବିତା କହିଛନ୍ତି, ମୋର ମୋବାଇଲ ନାହିଁ ମୋତେ ନେବାକୁ ପଡ଼ିବ। ସେ କହିଛନ୍ତି, ତାଙ୍କ ଘରେ ଗୋଟିଏ ଫୋନ୍‌ ଅଛି ଯାହାକୁ ସମସ୍ତେ ବ୍ୟବହାର କରୁଛନ୍ତି। ତେଣୁ ନିହାତି ମୋବାଇଲଟିଏ କିଣିବେ।

Share