ଯୁକ୍ତ୨ ନାମଲେଖା ଆବେଦନ ଅବଧି ପୁଣି ବଢ଼ିଲା

ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଧ୍ୟାଳୟଗୁଡ଼ିକରେ ଏକାଦଶ ବା ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି ଦ୍ୱିତୀୟଥର ପାଇଁ ବୃଦ୍ଧି କରାଯାଇଛି। ଛାତ୍ରୀଛାତ୍ର ଜୁନ୍‌ ୨୬ ପରିବର୍ତ୍ତେ ୩୦ ତାରିଖ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଛାତ୍ରୀଛାତ୍ର, ଅଭିଭାବକ ଓ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅନୁରୋଧକ୍ରମେ ଏପରି ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପରିବର୍ତ୍ତିତ ସୂଚୀ ଅନୁଯାୟୀ ପ୍ରଥମ ମେଧା ତାଲିକା ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ ା ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ୧୩ ତାରିଖ ମଧ୍ୟରେ ଶେଷ ହେବ। ଦ୍ୱିତୀୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ। ଏହାର ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ସୁଦ୍ଧା ସରିବ। ସେହିପରି ଅନ୍‌ଲାଇନ୍‌ ସ୍ପଟ୍‌ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ପର୍ଯ୍ୟନ୍ତ ଚାଲିବ। ଅଗଷ୍ଟ ୧ରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ।
ସାମସ୍‌ ପୋର୍ଟାଲରୁ ମିଳିଥିବା ସୂଚନାନୁସାରେ, ସୋମବାର ରାତି ୮ଟା ୧୫ସୁଦ୍ଧା ୪,୯୮,୬୯୬ଜଣ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିବାବେଳେ ୪,୬୪, ୫୬୧ଜଣ ଆବେଦନ କରିଛନ୍ତି। ସେହିପରି ୪,୫୯,୭୬୨ଜଣ ଅନ୍‌ଲାଇନରେ ଦେୟ ପୈଠ କରିଛନ୍ତି।

Share