Categories: ଜାତୀୟ

ଦ୍ୱିତୀୟ ସର୍ବାଧିକ ଫଳପ୍ରଦ ଅଧିବେଶନ

ନୂଆଦିଲ୍ଲୀ,୨୩ା୯: ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଅବସରରେ ଉଭୟ ଲୋକ ସଭା ଓ ରାଜ୍ୟ ସଭା ଧାର୍ଯ୍ୟ ସମୟଠାରୁ ଅଧିକ ସମୟ କାର୍ଯ୍ୟ କରିଛି। ସପ୍ତଦଶ ଲୋକସଭାର ଏହା ଏକମାତ୍ର ଅଧବବେଶନ, ଯେଉଁଠି ମୁଲତବୀ ଯୋଗୁ ନିମ୍ନ ସଦନର ସମୟ ଆଦୌ ବରବାଦ ହୋଇନାହିଁ। ୧୮ରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଧିବେଶନ ଧାର୍ଯ୍ୟ ସମୟ ଶୁକ୍ରବାର ପରିବର୍ତ୍ତେ ଗୁରୁବାର ରାତିରେ ଶେଷ ହୋଇଥିଲା। ଏହି ଅଧିବେଶନରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍‌ ଉଭୟ ଗୃହର ଅନୁମୋଦନ ଲାଭ କରିଥିଲା। ଏହା ବ୍ୟତୀତ ପାର୍ଲାମେଣ୍ଟର ୭୫ ବର୍ଷ ସମ୍ପର୍କରେ ଆଲୋଚନା କରାଯିବା ସହ ଚନ୍ଦ୍ରୟାନ-୩ର ସଫଳତା ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା।
ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ତଥ୍ୟ ଅନୁଯାୟୀ ଲୋକ ସଭା ଧାର୍ଯ୍ୟ ସମୟ ୨୨ ଘଣ୍ଟା ୪୫ ମିନିଟ୍‌ ଠାରୁ ୮ ଘଣ୍ଟା ଅଧିକ କାର୍ଯ୍ୟ କରିଥିଲା। ରାଜ୍ୟ ସଭା ଧାର୍ଯ୍ୟ ସମୟ ୨୧ ଘଣ୍ଟା ୪୫ ମିନିଟ୍‌ ପରିବର୍ତ୍ତେ ୨୭ ଘଣ୍ଟା ୪୪ ମିନିଟ୍‌ ପାଇଁ ବସିଥିଲା। ଲୋକ ସଭା ଅଧିବେଶନ ୧୬୦ % ସଫଳ ବୋଲି ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ରାଜ୍ୟ ସଭା ଦେଢ଼ଘଣ୍ଟା ମୁଲତବୀ ରହିଥିଲା। ବର୍ତ୍ତମାନ ସୁଦ୍ଧା ଏହା ଦ୍ୱିତୀୟ ସର୍ବାଧିକ ଫଳପ୍ରଦ ଅଧିବେଶନ। ୨୦୨୦ର ମୌସୁମୀ ଅଧବେଶନ ବେଳେ ଲୋକ ସଭା ଧାର୍ଯ୍ୟ ସମୟର ୧୪୫% କାର୍ଯ୍ୟ କରିଥିଲା।
ପିଆର୍‌ଏସ୍‌ ରିପୋର୍ଟ ଅନୁଯାୟୀ ଲୋକ ସଭାରେ ସ୍ବତନ୍ତ୍ର ଅଧିବେଶନର ୬୪% ବିତର୍କରେ ଏବଂ ୩୩% ବିଲ୍‌ ସମ୍ପର୍କିତ କାର୍ଯ୍ୟରେ ବିନିଯୋଗ ହୋଇଥିଲା। ସେହିପରି ରାଜ୍ୟ ସଭାରେ ୫୧% ସମୟ ବିତର୍କରେ ଯାଇଥିବାବେଳେ ୪୫% କେବଳ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରାଇବାରେ ଅତିବାହିତ ହୋଇଥିଲା। ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ % ଆସନ ସଂରକ୍ଷଣ ପାଇଁ ସମ୍ବିଧାନ (୧୨୮ତମ ସଂଶୋଧନ) ବିଲ୍‌ ୧୯ରେ ଆଗତ ହୋଇ ୧୦ ଘଣ୍ଟା ଆଲୋଚନା ହୋଇଥିଲା। ୩୨ ମହିଳା ଏମ୍‌ପିଙ୍କ ସମେତ ମୋଟ ୬୦ ସଦସ୍ୟ ଏଥିରେ ଭାଗ ନେଇଥିଲେ। ବିଲ୍‌ ସପକ୍ଷରେ ୪୫୪ ଓ ବିରୋଧରେ ଏଆଇଏମ୍‌ଆଇଏମ୍‌ର ୨ ଏମ୍‌ପି ଭୋଟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା ଆରମ୍ଭ କରିଥିଲେ। ଏହା ଉପରେ ୬ ଘଣ୍ଟା ୪୩ ମିନିଟ୍‌ ଆଲୋଚନା ହୋଇଥିଲା ଓ ୩୬ ଏମ୍‌ପି ଏଥିରେ ସାମିଲ ହୋଇଥିଲେ। ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ଲୋକ ସଭାରେ ୧୨ ଘଣ୍ଟା ୨୫ ମିନିଟ୍‌ ଆଲୋଚନା ହୋଇଥିଲା। ରାଜ୍ୟ ସଭାରେ ମହିଳା ବିଲ୍‌ ଉପରେ ୧୨ ଘଣ୍ଟାରୁ ଅଧିକ ସମୟ ବିତର୍କ କରାଯାଇଥିଲା।

Share