ସମ୍‌ରେ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବ୍‌ଶୀଘ୍ର

ଭୁବନେଶ୍ୱର, ୧।୯(ବ୍ୟୁରୋ): ଭାରତର ନିଜସ୍ବ କୋଭିଡ୍‌-୧୯ ଟିକା ‘କୋଭାକ୍‌ସିନ’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ୍‌ଶୀଘ୍ର ସମ୍‌ ହସ୍ପିଟାଲରେ ଆରମ୍ଭ ହେବ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଜାରି ରହିଛି ବୋଲି ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ତଥା ସମ୍‌ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡା. ଇ. ଭେଙ୍କଟ ରାଓ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସାମାଜିକ କର୍ମୀଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇନାହିଁ। ତେବେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ ଓ କେତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି, ଏ ସମ୍ପର୍କରେ ଜାଣିବା ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି ବୋଲି ସେ କହିଛନ୍ତି। ଭାରତ ବାୟୋଟେକ୍‌ ଓ ଇଣ୍ଡିଆନ କାଉନସିଲ ଫର୍‌ ମେଡିକାଲ ରିସର୍ଚ୍ଚର ମିଳିତ ସହଯୋଗରେ ଏହି ଟିକାର ପ୍ରସ୍ତୁତି ଚାଲିଥିବାବେଳେ ପରୀକ୍ଷଣ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ମନୋନୀତ କରାଯାଇଛି। ରାଜ୍ୟର ଏକମାତ୍ର ଅନୁଷ୍ଠାନ ଭାବେ ସମ୍‌ ହସ୍ପିଟାଲକୁ ଏହି ଅନୁମତି ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ କରୋନା ବିରୋଧୀ ଲଢ଼େଇରେ ଏହା ପ୍ରମୁଖ ଅସ୍ତ୍ର ସାଜିବ ବୋଲି ଆଶା କରାଯାଉଛି।

Share