ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଫୁଲବାଣୀ ଅଫିସ,୧୮ା୨: କନ୍ଧମାଳ ଜିଲାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଚାଲିଛି। ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ତୁମୁଡ଼ିବନ୍ଧ ଏବଂ କୋଟଗଡ଼ ବ୍ଲକରେ ଭୋଟ୍‌ ହେଉଥିବାରୁ ପୋଲସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳୁ ସକାଳୁ ସମସ୍ତ ବୁଥ୍‌ରେ ଭୋଟ ଦେବା ପାଇଁ ଲମ୍ବା ଲାଇନ୍‌ ଲାଗିଛି । ବିଶେଷ କରି ନୂଆକରି ଭୋଟ ଦେବାକୁ ଆସିଥିବା ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।
ମାଓବାଦୀମାନେ ଭୋଟ ନ ଦେବାକୁ ଗ୍ରାମବାସୀଙ୍କୁ ଧମକ ଦେଉଥିବାରୁ ଏହି ଦୁଇ ବ୍ଲକରେ ମୋଟ ୩୯ଟି ଅତି ସମ୍ବେଦନଶୀଳ ବୁଥ୍‌ ବଦଳାଯାଇଛି। ଭୋଟରମାନେ କେଉଁଠି ଭୋଟ୍‌ ଦେବେ ତାହା ସେମାନଙ୍କ ଅଞ୍ଚଳର ପ୍ରାର୍ଥୀମାନଙ୍କ ଦ୍ୱାରା ସୂଚନା ଦିଆଯାଇଛି । କୋଟଗଡ଼ ବ୍ଲକରେ ୨୨ଟି ଏବଂ ତୁମୁଡ଼ିବନ୍ଧ ବ୍ଲକରେ ୧୭ଟି ବୁଥ୍‌ ବଦଳିଥିବା ଜିଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି।
କୋଟଗଡ ବ୍ଲକ ୨ ନଂ ଜୋନ୍‌ ଏବଂ ତୁମୁଡିବନ୍ଧ ବ୍ଲକ ୭ ନଂ ଜୋନ୍‌ରେ ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡମେମ୍ବର ଏବଂ ଜିଲା ପରିଷଦ ସଦସ୍ୟଙ୍କୁ ମିଶାଇ ମୋଟ ୩୧୫ ଜଣ ପ୍ରାର୍ଥୀ ରହିଛନ୍ତି । କୋଟଗଡ଼ରେ ୧୯୬ ଜଣ ଥିବା ବେଳେ ତୁମୁଡ଼ିବନ୍ଧରେ ୧୧୯ ଜଣ ପ୍ରାର୍ଥୀ ରହିଛନ୍ତି। କୋଟଗଡ଼ ବ୍ଲକରେ ୩୨ ହଜାର ୨୪ ଜଣ ଭୋଟର ଏବଂ ତୁମୁଡିବନ୍ଧ ବ୍ଲକରେ ୩୦ ହଜାର ୯୭୧ ଭୋଟର ସେମାନଙ୍କ ପ୍ରାର୍ଥୀ ଚୟନ କରୁଛନ୍ତି।

Share