ଭୁବନେଶ୍ୱର,୭ା୪(ବ୍ୟୁରୋ): ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ସ୍ବାଇଁ। କମଳାଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ଏସ୍ଡିଜେଏମ ଅନୁମତି ଦେଇଛନ୍ତି।
କମଳାଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ ହୋଇଥିଲା।କୋର୍ଟ କେବଳ ୫ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି। ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୋମବାର ନକଲି ଡାକ୍ତରଙ୍କ ଦ୍ୱିତୀୟ ସ୍ତ୍ରୀ କମଳାଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା କମିଶନରେଟ ପୋଲିସ ଟିମ୍। ରମେଶଙ୍କ କାରନାମା ପରଠାରୁ ଗୁଜରାଟର ଜାମନଗରରେ କାର୍ଯ୍ୟରତ କମଳା ଫେରାର ଥିଲେ । ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୋଲିସ ଶେଷରେ ଗିରଫ କରିବାରେ ସକ୍ଷମ ହୋଇଥିଲା। କମଳା ରମେଶଙ୍କ ଅର୍ଥ କାରବାର ବୁଝୁଥିଲେ।
୧୯ ମହିଳାଙ୍କ ସ୍ବାମୀ ରମେଶ ୧୯୮୨ ମସିହାରେ ପ୍ରଥମ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ କମଳାଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି।
କମଳାଙ୍କ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ। ରମେଶ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା। କେବଳ କମଳା ନୁହନ୍ତି, ରମେଶଙ୍କ ଏହି ଅପରାଧରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ।ଏଥିସହ ରମେଶ ଲୁଟୁଥିବା ସୁନାଗହଣା, ଟଙ୍କାଙ୍କୁ ସମସ୍ତେ ବାଣ୍ଟି ନେଉଥିଲେ।