ଭୁବନେଶ୍ୱର,୬।୩(ସତ୍ୟଜିତ୍ ରାଉତ)ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍ଫେର୍ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ କେନ୍ଦୁଝରର ବିଜେଡି ନେତା ସୌମ୍ୟ ଓରଫ ରାଜା ଚକ୍ରଙ୍କ ଘରେ ଚଢ଼ାଉ ଜାରି ରହିଛି। ବୁଧବାର ଦ୍ୱିତୀୟ ଦିନରେ ରାଜାଙ୍କ ୬ଟି ସ୍ଥାନରେ ଯାଞ୍ଚ ଚାଲିଥିବା ସୂଚନା ମିଳିଛି। କେନ୍ଦୁଝର, କୋଇଡ଼ା, ଧାମରା, ଗୋପାଳପୁର ଆଦି ସ୍ଥାନରେ ଇଓଡବ୍ଲ୍ୟୁ ଅଧିକାରୀମାନେ ମିଳିତ ଭାବେ ଖୋଳତାଡ଼ କରୁଛନ୍ତି। ତେବେ ଇଓଡବ୍ଲ୍ୟୁ ଦୁଇଦିନର ଯାଞ୍ଚରେ ଏକାଧିକ ଲୋକଙ୍କୁ ପଚରାଉଚରା କରିବା ସହ ମାମଲା ସମ୍ବନ୍ଧୀୟ ବହୁ ଦସ୍ତାବିଜ୍ ଜବତ କରିଛି। ତେବେ ବଡ଼କଥା ହେଲା ରାଜାଙ୍କ ୨୦୦ଟି ବେନାମୀ ଆକାଉଣ୍ଟ ମଧ୍ୟ ଇଓଡବ୍ଲ୍ୟୁ ଟିମ୍ ଠାବ କରିଛି। ଏହି ଆକାଉଣ୍ଟଗୁଡ଼ିକରେ ବ୍ୟାପକ ଟଙ୍କା କାରବାର ହୋଇଥିବା ଜଣାପଡିଛି। ସେହିପରି ରାଜାଙ୍କ ୨୦ଟି ମାଲବାହୀ ଗାଡ଼ି ମଧ୍ୟ ଇଓଡବ୍ଲ୍ୟୁ ପକ୍ଷରୁ ଜବତ କରାଯାଇଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଇଓଡବ୍ଲ୍ୟୁ ଗତ ଫେବୃଆରୀ ୮ରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ଲିମିଟେଡର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ଗିରଫ କରିଥିଲା। ତଦନ୍ତ ସମୟରେ ଏହି ଠକେଇ ଲିଙ୍କ୍ରେ ରାଜାଙ୍କ ସମେତ ଅନେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇ ଅଧିକ ଛାନଭିନ୍ ଚଳାଇଛି। ସୋମବାର ରାଜା ଚକ୍ରଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଡାକି ଇଓଡବ୍ଲ୍ୟୁ ଜେରା କରିଥିଲା। ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ଟିମ୍ ଇଓଡବ୍ଲ୍ୟୁଠାରୁ ତଥ୍ୟ ନେଇ ଖୋଳାତାଡ଼ କରୁଛି।