ଫୁଲ ତୋଳିବା ସମୟରେ ଗଛରୁ ଖସିପଡ଼ି ସୁରକ୍ଷାକର୍ମୀଙ୍କ ଜୀବନ ଗଲା

କୋରୁକୋଣ୍ଡା,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସଦର ମହକୁମାରେ ଥିବା ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଏହି କାର୍ଯ୍ୟାଳୟ ପରିସରରେ ଇଏସ୍‌ଏସ୍‌ ସିକ୍ୟୁରିଟି ସଂସ୍ଥା ଅଧୀନରେ କାର୍ଯ୍ୟରତ ମୁରଲି ବାଜିଙ୍ଗ ଡ୍ୟୁଟିରେ ଥିବାବେଳେ ଗଛରୁ ଫୁଲ ତୋଳୁ ଥିଲେ। ଏହି ସମୟରେ ସେ କୌଣସି କାରଣରୁ ଖସିପଡ଼ିଥିଲେ। ଏହି ଘଟଣାକୁ ସେଠାରେ ଡ୍ୟୁଟିରେ ଥିବା କିଛି ସହ କର୍ମଚାରୀ ଦେଖିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ବାଇକ୍‌ ଯୋଗେ ବାଲିମେଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା କହିଛି।