ମାଇକେଲ ମିର୍ନୀ
୨୦୨୧ରେ ବିଶ୍ୱ କୋଭିଡ୍-୧୯ ମହାମାରୀରୁ ମୁକୁଳିବା ଆରମ୍ଭ କରିବ। ଏଥିପାଇଁ ଅଭୂତପୂର୍ବ ବୈଜ୍ଞାନିକ ସହଯୋଗ ଓ ବୈଶ୍ୱିକ ଟିକାକରଣକୁ ସବୁ ଶ୍ରେୟ ଦିଆଯିବ। ବିଶ୍ୱ ଅର୍ଥବ୍ୟବସ୍ଥା ସଙ୍କଟରୁ ବାହାରି ଆସିବ। ଲୋକମାନେ ସେମାନଙ୍କ ସ୍ଥିତିକୁ ଫେରିବାକୁ ଅଗ୍ରସର ହେବେ। କିନ୍ତୁ ପୁରୁଣା ସ୍ଥିତିକୁ ଫେରିବା କଷ୍ଟକର ହୋଇଯିବ। ଶିଳ୍ପଗୁଡ଼ିକ ସବୁଦିନ ଲାଗି ବନ୍ଦ ହୋଇଯିବ। କିନ୍ତୁ ଆମେ ସ୍ବାଧୀନ ଗଣମାଧ୍ୟମକୁ ଏମାନଙ୍କ ମଧ୍ୟରେ ସାମିଲ ହେବାକୁ ଦେବା ନାହିଁ। ସ୍ବାସ୍ଥ୍ୟ ଓ ଲୋକମାନଙ୍କ ଜୀବନ ଜୀବିକା ସମ୍ପର୍କିତ ଦୋଷଦର୍ଶୀ ଖବର ପ୍ରସାରଣରେ ସ୍ଥାନୀୟ ଗଣମାଧ୍ୟମର ଭୂମିକାକୁ ମହାମାରୀ ଢେର ଗୁରୁତ୍ୱ ଦେଇଛି। ର୍ୟୁଟର ଇନ୍ଷ୍ଟିଚ୍ୟୁଟ୍ ଫର୍ ଦି ଷ୍ଟଡି ଅଫ୍ ଜର୍ନାଲିଜମ ସ୍ଥାନୀୟ ଗଣମାଧ୍ୟମର ଭୂମିକାକୁ ନେଇ ସର୍ଭେ କରିଛି ଏବଂ ତା’ଦ୍ୱାରା ପ୍ରକାଶିତ ୨୦୨୦ ଡିଜିଟାଲ ନ୍ୟୁଜ ରିପୋର୍ଟ ଅନୁସାରେ ସ୍ଥାନୀୟ ଖବରକାଗଜ ଏବଂ ସେମାନଙ୍କ ଓ୍ବେବ୍ସାଇଟ୍ଗୁଡ଼ିକ ନିର୍ଦ୍ଦିଷ୍ଟ ସହର କିମ୍ବା ଅଞ୍ଚଳରେ ଅଧିକ ଖବର ପ୍ରସାରଣ କରିଛନ୍ତି। ଏପରି କି ସପ୍ତାହରେ ପ୍ରତି ୧୦ ଜଣରେ ଜଣଙ୍କ ପାଖରେ ଏହା ପହଞ୍ଚିପାରିଛି। ମହାମାରୀ ସମୟରେ ଏହି ଗଣମାଧ୍ୟମ ଲୋକମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟ ପ୍ରତିଷେଧକ, କୋଭିଡ୍ ପରୀକ୍ଷା କେନ୍ଦ୍ର ଏବଂ ଟିକାକରଣ ପ୍ରକ୍ରିୟା ଉପରେ ତଥ୍ୟ ଦେବାରେ ସାହାଯ୍ୟ କରିଛି। ଲୋକମାନଙ୍କ ମଧ୍ୟରେ କରୋନା ଭୂତାଣୁ ଓ ଟିକାକୁ ନେଇ ରହିଥିବା ଭ୍ରମାତ୍ମକ ଧାରଣା ଦୂର କରିପାରିଛି। କରୋନା ଭୂତାଣୁ ସମ୍ପର୍କରେ ଲୋକଙ୍କ ଚିନ୍ତା ବା ବ୍ୟଗ୍ରତା ବଢ଼ିଥିତ୍ବାବେଳେ ଗଣମାଧ୍ୟମ ଉପଯୋଗ ମଧ୍ୟ ଆଗକୁ ଯାଇପାରିଛି। କିନ୍ତୁ ଆଇଆର୍ଇଏକ୍ସର ବାର୍ଷିକ ମିଡିଆ ସସ୍ଟେନ୍ବିଲିଟି ଇଣ୍ଡେକ୍ସ ମୁତାବକ ପୂର୍ବ ୟୁରୋପରେ ଗଣମାଧ୍ୟମର ବହୁଳ ଉପଯୋଗ ସତ୍ତ୍ୱେ ଏହା ଅଧିକ ଆୟ କରିବାକୁ ସକ୍ଷମ ହୋଇପାରିନି। ଉଦାହରଣ ସ୍ବରୂପ,ଜର୍ଜିଆ ଏବଂ ସର୍ବିୟାରେ ସ୍ଥାନୀୟ ଗଣମାଧ୍ୟମର ପାଠକୀୟ ଆଦୃତି ମହାମାରୀ ପୂର୍ବରୁ ଓ ମହାମାରୀ ସମୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲେ ମଧ୍ୟ ବିଜ୍ଞାପନ ବାବଦୀୟ ଆୟ ଲଗାତର କମିବାରେ ଲାଗିଛି। ବୋସ୍ନିଆ ଏବଂ ହର୍ଜେଗୋଭିନାରେ ଗତ ୧୦ ବର୍ଷ ମଧ୍ୟରେ ଗଣମାଧ୍ୟମର ବିଜ୍ଞାପନ ମାର୍କେଟ ୬୦% ହ୍ରାସ ପାଇଛି ବୋଲି ଆକଳନରୁ ଜଣାପଡ଼ିଛି। ଏପରି କି ମହାମାରୀ ପୂର୍ବରୁ ଆଇଆର୍ଇଏକ୍ସର ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ପୂର୍ବ ୟୁରୋପରେ ଆଞ୍ଚଳିକ ସ୍ତରରେ ବିଜ୍ଞାପନ ମାର୍କେଟ ଅତି ଖରାପ ହେବାରୁ ସେଠାକାର ସରକାର,ରାଜନୈତିକ ଦଳ ଏବଂ ଘରୋଇ ସଂସ୍ଥାଗୁଡ଼ିକ ଆର୍ଥିକ ସହଯୋଗ କରିବାକୁ ଆଗକୁ ଆସିଥିଲେ। ଏହି ଧାରା ମଧ୍ୟ ମହାମାରୀ ପରେ ତୀବ୍ର ହେବ ଏବଂ କୋଭିଡ୍-୧୯ରୁ ସୃଷ୍ଟ ଆର୍ଥିକ ଚାପରେ ଶ୍ୱାସରୁଦ୍ଧ ହୋଇଯାଇଥିବା ସ୍ଥାନୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଧନୀ ତଥା ପ୍ରଭାବଶାଳୀ ବ୍ୟବସାୟୀ କିମ୍ବା ଦମନକାରୀ ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଇପାରନ୍ତି, ଯାହାଦ୍ୱାରା ସେମାନଙ୍କ ସ୍ବାଧୀନତା ସମ୍ପୂର୍ଣ୍ଣ କ୍ଷୁଣ୍ଣ ହେବ।
ଗଣମାଧ୍ୟମ ଉପରେ ଦେଖାଦେଇଥିବା ଏଭଳି ବିପଦ କେବଳ ପୂର୍ବ ୟୁରୋପରେ ସୀମିତ ନୁହେଁ। ୨୦୨୦ର ଫ୍ରିଡମ୍ ହାଉସ୍ର ରିପୋର୍ଟ ‘ ବେଜିଂସ୍ ଗ୍ଲୋବାଲ ମେଗାଫୋନ୍’ ଅନୁଯାୟୀ ଚାଇନା ଦକ୍ଷିଣ ଆଫ୍ରିକା ଓ ଇଟାଲୀ ଭଳି କେତେକ ଦେଶର ସୂଚନା ଭିତ୍ତିଭୂମି ଉପରେ ପ୍ରଭାବ ବିସ୍ତାର କରୁଛି। ଚାଇନାର ଖବର ପ୍ରସାରଣ କରୁଥିବା ପ୍ଲାଟଫର୍ମୁଡ଼ିକୁ ଏହାର ନିୟନ୍ତ୍ରଣରେ ରଖିଛି। ଏଭଳି ଚାପ ଦ୍ୱାରା ନିଜ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ପାଇଁ କ୍ଷୁଦ୍ର ସ୍ଥାନୀୟ ଗଣମାଧ୍ୟମଗୁଡ଼ିକୁ ଉପଯୋଗ କରୁଥିବା ସରକାରୀ ଅଧିକାରୀମାନଙ୍କ ହାତରେ ଏହା ଶେଷ ହୋଇଯିବାର ସମ୍ଭାବନା ଦେଖାଦେଇଛି। ଏହା ସହ ଚାଇନାରେ ସବୁବେଳେ ଏକ ଅସ୍ପଷ୍ଟ ସିଦ୍ଧାନ୍ତ ହୋଇରହିଥିବା ସମ୍ପାଦକୀୟ ସ୍ବାଧୀନତା ମୋଟ ଉପରେ ସମ୍ପୂର୍ଣ୍ଣ ଶେଷ ହୋଇଯିବ। ଏହା ମଧ୍ୟ ସୀମିତ ସାମ୍ବାଦିକତାର ନିଜସ୍ବ ସେନସର୍ଶିପରେ ଅଧିକ ବାଧା ଉୁପୁଜାଇବ। ଏହି ପରିସ୍ଥିତିରୁ ଦୂରେଇ ରହିବାକୁ ହେଲେ ଇଣ୍ଟର୍ନ୍ୟାଶନାଲ ମିଡିଆ ଡେଭଲପ୍ମେଣ୍ଟ ଅର୍ଗାନାଇଜେଶନ ୬ଟି ଦିଗ ଉପରେ ଧ୍ୟାନ ଦେଇ ସ୍ବାଧୀନ ସ୍ଥାନୀୟ ଗଣମାଧ୍ୟମ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ସମାଧାନ କରିବାକୁ ପଡ଼ିବ। ପ୍ରଥମତଃ କୋଭିଡ୍ ମହାମାରୀ ଅନ୍ଲାଇନ ଏବଂ ମୁଭିଂ ମିଡିଆକୁ ପାରମ୍ପରିକ ବିତ୍ତୀୟ ଢାଞ୍ଚାଠାରୁ ଦୂରେଇ ଯିବାର ଗତିକୁ ତୀବ୍ର କରିଛି। ଏବେ ନୂଆ ମଡେଲ ଭାବେ ମୁଣ୍ଡ ଟେକୁଥିବା କୋଭିଡ୍ ଫଣ୍ଡିଂ ଏବଂ ଅନ୍ଲାଇନ ବିଜ୍ଞାପନ ଅନୁଦାନକାରୀ ଉତ୍ସ ଉପରେ ସ୍ଥାନୀୟ ଗଣମାଧ୍ୟମର ନିର୍ଭରଶୀଳତାକୁ ହ୍ରାସ କରିବ ଏବଂ ସମ୍ପାଦକୀୟ ସ୍ବାଧୀନତାକୁ ଚାପିଦେବାକୁ ଚାହଁୁଥିବା ରାଜନୈତିକ ଏବଂ ବ୍ୟବସାୟ ମାନଙ୍କ ପ୍ରଭାବକୁ ପ୍ରତିହତ କରିବ। ଦ୍ୱିତୀୟ ପ୍ରାଥମିକତା ହେଉଛି, ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ନିବେଶ ଲାଗି ଆର୍ଥିକ ଋଣ କେମିତି ପାଇବେ ସେଥି ନିମନ୍ତେ ସ୍ବାଧୀନ ଗଣମାଧ୍ୟମଗୁଡ଼ିକୁ ସହଯୋଗ କରିବାକୁ ପଡ଼ିବ। ସ୍ଥାନୀୟ ଖବର କେନ୍ଦ୍ରଗୁଡ଼ିକ ସେମାନଙ୍କ ଅନ୍ଲାଇନ ଉପସ୍ଥିତିକୁ ଆଗକୁ ବଢାଇବାରେ ଲାଗିଛନ୍ତି। କିନ୍ତୁ ଏହା ଉପରେ ନିବେଶ କରିବାକୁ ହେଲେ ଡିଜିଟାଲ ସୁବିଧାସୁଯୋଗ ଉପରେ ଭଲ ଭାବେ ବିଚାର କରିବା ଆବଶ୍ୟକ। କ୍ଷୁଦ୍ର ସ୍ଥାନୀୟ ଗଣମାଧ୍ୟମ କିଭଳି ଲୋକମାନଙ୍କୁ ଗୁଣବତ୍ତା ଖବର ଯୋଗାଇଦେବ ଏବଂ ସୋସିଆଲ ନେଟଓ୍ବର୍କରେ ଅନ୍ଲାଇନ ପ୍ରତିଯୋଗିତାରେ କିପରି ତିଷ୍ଠି ରହିବେ ସେ ସମ୍ପର୍କିତ କୌଶଳ ଜାଣିବା ଲାଗି ସହାୟକ ଅନୁଷ୍ଠାନଗୁଡ଼ିକରୁ ସହଯୋଗ ଏବଂ ପ୍ରଶିକ୍ଷଣ ଲାଭ କରିବା ଆବଶ୍ୟକ। ତୃତୀୟ ଦିଗଟି ହେଲା, ଚାପରେ ରହିଥିବା ଗଣମାଧ୍ୟମ ସଂସ୍ଥା ଏବଂ ସାମ୍ବାଦିକମାନଙ୍କୁ ସହଯୋଗ କରିବା ପାଇଁ ନୂତନ ସରକାରୀ ଏବଂ ବେସରକାରୀ ଜରୁରୀ ପାଣ୍ଠି ଗଠନ କରିବାକୁ ପଡ଼ିବ। ଏହି ପାଣ୍ଠି ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବହୁତ ସାହାଯ୍ୟ କରିବ। ସିଭିଲ୍ ସୋସାଇଟି ଅନୁଷ୍ଠାନଗୁଡ଼ିକ ପାଇଁ ଫ୍ରିଡମ୍ ହାଉସର ଲାଇଫ୍ଲାଇନ ଏମ୍ବାଟେଲଡ ସିଏସ୍ଓ ଆସିଷ୍ଟାଣ୍ଟ ଫଣ୍ଡ୍ କିମ୍ବା ଲୁମିନେଟ୍ର ଇଣ୍ଟରନ୍ୟାଶନାଲ ଫଣ୍ଡ ପବ୍ଲିକ ଇଣ୍ଟରେଷ୍ଟ ମିଡିଆ ଭଳି ଅନେକ ଫଣ୍ଡ୍ ଜରୁରୀ ସହାୟତା ଏବଂ ଅନୁଦାନ ପାଇଁ ଗଠନ କରାଯିବା ଉଚିତ। ଆଞ୍ଚଳିକ ଗଣମାଧ୍ୟମ ସମ୍ମୁଖୀନ ହେଉଥିତ୍ତ୍ବା ଆହ୍ବାନଗୁଡ଼ିକୁ ସମାଧାନ କରିବା ଲାଗି ଗୋଟିଏ କି ଦୁଇଟି ପଦକ୍ଷେପ ଯଥେଷ୍ଟ ହେବ ନାହିଁ। ଏହା ବଦଳରେ ଏହି ସମସ୍ୟାଗୁଡ଼ିକୁ ଅଧିତ୍କ ନିୟନ୍ତ୍ରଣ କରିବାକୁ ସରକାରୀ ଏବଂ ବେସରକାରୀ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକ ଉପଯୁକ୍ତ ପଦକ୍ଷେପ ନେବା ଦରକାର।
ଚତୁର୍ଥତଃ- ସାମ୍ବାଦିକ, ସମ୍ପାଦକ ଏବଂ ପ୍ରାୟୋଜକମାନଙ୍କୁ ମିଡିଆ ଲିଟେରାସି ଟ୍ରେନିଂ ଦେବାକୁ ପଡିବ। ମିଥ୍ୟା ତଥ୍ୟ ବା ସୂଚନା ବିରୋଧରେ ଲଢେଇ କରିବାକୁ ଏହା ଅପରିହାର୍ଯ୍ୟ। ବହୁ ସମୟରେ ତଥ୍ୟ ଉପରେ ଯାଞ୍ଚ କରିବା ଲାଗି ସମୟ ଏବଂ କୌଶଳର ଅଭାବ ରହିଥାଏ। ଅନେକ ସମୟରେ କୌଣସି ଏକ ବ୍ରେକିଂ ଷ୍ଟୋରୀ କରିବାକୁ ସତ୍ୟତା ଉପରେ ଅଧିତ୍କ ପ୍ରାଥମିକତା ଦିଆଯାଇନଥାଏ। ମିଡିଆ ଲିଟେରାସି , ତଥ୍ୟ ଯାଞ୍ଚ ଏବଂ ଭ୍ରମାମତ୍କ ଧାରଣା ଦୂର କରିବା ଲାଗି କ୍ୟାରିୟର ମଧ୍ୟରେ ସାମ୍ବାଦିକମାନଙ୍କ ପ୍ରଶିକ୍ଷଣକୁ ବ୍ୟାପକ କରିବା ଦରକାର। ପଞ୍ଚମରେ ମିଡିଆ ପ୍ରଫେଶନାଲମାନଙ୍କୁ ବିତ୍ତୀୟ ମନୋବୈଜ୍ଞାନିକ ସମର୍ଥନ ପାଇଁ ପାଣ୍ଠି ଯୋଗାଉଥିତ୍ବା ଅନ୍ତଃରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ସାହାଯ୍ୟ କରିବା ଉଚିତ। ମହାମାରୀର ସମ୍ମୁଖ ଭାଗର ରିପୋର୍ଟ ଉପରେ ଲୋକମାନଙ୍କର ଅଧିତ୍କ ଆଗ୍ରହ ରହିଛି। ଏହି ରିପୋର୍ଟ ସଂଗ୍ରହରେ ବ୍ୟସ୍ତ ସାମ୍ବାଦିକ ଓ ସ୍ବାଧୀନ ଭାବେ ବିଭିନ୍ନ ବିଷୟ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନଙ୍କ ଉପରେ ଚାପ ପଡ଼ୁଛି। କିନ୍ତୁ ମିଡିଆ କମ୍ପାନୀଗୁଡ଼ିକ ଏହି ଆହ୍ବାନଗୁଡିକୁ ସମ୍ମୁଖୀନ ହେଉଥିବା କର୍ମଚାରୀମାନଙ୍କୁ ଖୁବ କମ୍ ମନସ୍ତାତ୍ତ୍ୱିକ ସହଯୋଗ ଯୋଗାଉଛନ୍ତି। ମନସ୍ତାତ୍ତ୍ୱିକ ସହଯୋଗ ପ୍ରକ୍ରିୟା ସାମ୍ବାଦିକ ମାନଙ୍କୁ ପ୍ରଫେଶନରେ ରହିବା ପାଇଁ ସାହାଯ୍ୟ କରିବ ଏବଂ ମହାମାରୀ ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସେମାନେ ଯୋଗାଇଦେବା ପ୍ରକ୍ରିୟାକୁ ନିଶ୍ଚିତ କରିବ।
ଶେଷ ତଥା ଷଷ୍ଠ କଥାଟି ହେଉଛି ଅନୁସନ୍ଧାନଭିତ୍ତିକ ସାମ୍ବାଦିକତା। ଏହାକୁ ସମର୍ଥନ କରିବା ଜରୁରୀ। ବିଶ୍ୱବ୍ୟାଙ୍କ ଅନୁଯାୟୀ, ବିକାଶଶୀଳ ଦେଶଗୁଡ଼ିକ ଲାଗି ଦୁର୍ନୀତି ଏକ ବଡ ବାଧକ । ଏହାକୁ ରୋକିବା ଲାଗି ଅନୁସନ୍ଧାନମୂଳକ ସମ୍ବାଦିକତା ଏକ ପ୍ରମୁଖ ଅସ୍ତ୍ର । କିନ୍ତୁ ବହୁ ସମୟରେ ଏହାକୁ ଅଣଦେଖା କରାଯାଉଛି। ଅନ୍ଲାଇନ ତଥ୍ୟ ଭଣ୍ଡାର ଏବଂ ଶସ୍ତା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଉପଲବ୍ଧତା ତଥ୍ୟ ଉପରେ ଅନୁସନ୍ଧାନ କରିବା ନିମନ୍ତେ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି। କିନ୍ତୁ ଏହାକୁ ଉପଯୋଗ କରିବା ପାଇଁ ସାମ୍ବାଦିକଙ୍କ ନିକଟରେ କୌଶଳର ଅଭାବ ରହିଛି। କ୍ଷୁଦ୍ର ସ୍ଥାନୀୟ ମିଡିଆ କେନ୍ଦ୍ରଗୁଡ଼ିକର ପ୍ରଫେଶନାଲମାନଙ୍କୁ କିଭଳି ତଥ୍ୟ ଅନୁସନ୍ଧାନ କରିବାକୁ ପଡ଼ିବ, ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଗଲେ ତାହା ଦୁର୍ନୀତି କମାଇବ। ଏବକାର ବୈଶ୍ୱିକ ଗଣମାଧ୍ୟମ ଟ୍ରେଣ୍ଡ୍ ଚିନ୍ତା ବଢାଉଛି ହେଲେ ଏହାକୁ ସୁଧାରିବାର ବାଟ ବି ରହିଛି। ଡିଜିଟାଲ ମିଡିଆ ସମ୍ପ୍ରସାରଣ ଏବଂ ଗୁଣବତ୍ତା ତଥ୍ୟର ବ୍ୟାପକ ଗ୍ରହଣୀୟତା ସ୍ବାଧୀନ ମିଡିଆ କେନ୍ଦ୍ରଗୁଡ଼ିକୁ ଏକ କ୍ଷେତ୍ର ପ୍ରସ୍ତୁତ କରିବାକୁ ସୁଯୋଗ ଦେଇପାରେ। ବିଶେଷକରି ଏହା ହିଁି ସ୍ଥାନୀୟ ଖବର କେନ୍ଦ୍ରଗୁଡ଼ିକ ଲାଗି ଖୁବ୍ ଗୁରୁତ୍ୱପୂୂର୍ଣ୍ଣ, ଯାହା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ସୂଚନା ଜୀବନରେଖା ହୋଇ ରହିବ।
ଡାଇରେକ୍ଟର,ଇନ୍ଫର୍ମେଶନ
ଆଣ୍ଡ୍ ମିଡିଆ ପ୍ରାକ୍ଟିସ୍, ଆଇଆରଇଏକ୍ସ