କାମ ନ ସରୁଣୁ ଧସିଲା ସୁରକ୍ଷା ପାଚେରି

ଖଇରା(ଉତ୍କଳବନ୍ଧୁ ପଣ୍ଡା)/ ଔପଦା(ଧରିତ୍ରୀ ପଣ୍ଡା),୨୬ା୬: ବାଲେଶ୍ବର ଜିଲା ଅଧୀନ ଖଇରା ବ୍ଲଜର ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି। ବିଶେଷ ଭାବେ ବାଲେଶ୍ବରରୁ ମୟୂରଭଞ୍ଜକୁ ସଂଯୋଗ କରୁଥିବା ଗଣ୍ଡିବେଡ଼-ଔପଦା ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ କାମ ଚାଲୁଥିବା ବେଳେ ସୁରକ୍ଷା ପାଚେରି ଧସି ଯାଇଛି। ଫଳରେ କାମର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଚେରୀ ଧସିବାରୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହା ପୂର୍ବରୁ ମଧ୍ୟ ରସ୍ତା କାମ ଆରମ୍ଭ ସମୟରେ କିଛି ସ୍ଥାନରେ ରାସ୍ତା ପାଶର୍‌ବ ପାଚେରି ଧସି ଡ୍ରେନରେ ଗଳି ପଡିବା, କିଛି କଲଭର୍ଟ ଓ ପୋଲରେ ଫାଟ ଦେଖାଯିବା ନେଇ ଅଭିଯୋଗ ହେବା ପରେ ପୁନଃନିର୍ମାଣ କରାଯାଇଥିଲା। ବାରମ୍ବାର ଏଭଳି ବିଭ୍ରାଟ ଯୋଗୁ ୧୨ କୋଟି ଟଙ୍କା ପାଣିରେ ପଡ଼ିଲା ବୋଲି କୁହାଯାଉଛି। ଗୋଟିଏ ପଟେ ରାସ୍ତା ପର୍ଯ୍ୟାୟ କ୍ରମେ ନଷ୍ଟ ହୋଇ ଚାଲିଥିବା ବେଳେ ଠିକାଦାରଙ୍କୁ ସନ୍ତୁଷ୍ଟ କରିବାକୁ ଅତିରିକ୍ତ ଅର୍ଥ ଦିଆଯିିବା ଅଧିକାରୀଙ୍କ ଠିକାଦାର ପ୍ରୀତିକୁ ପ୍ରମାଣିତ କରୁଛି। ଭିଜିଲାନ୍ସ ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ପ୍ରଘଟ କରିବାକୁ ସାଧାରଣରେ ଦାବି ହୋଇଛି।
ଏହି ୬କି.ମି. ରାସ୍ତା ପାଇଁ ୧୨କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଗତ ଜୁଲାଇ ମାସରେ ଏହାର ଶିଳାନ୍ୟାସ କରାଯାଇଥିଲା। ୯ମାସ ମଧ୍ୟରେ କାମ ଶେଷ ହେବା କଥା। ହେଲେ ୧୧ମାସ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ଏବେ ମଧ୍ୟ ଆହୁରି ୨୦ଭାଗ କାମ ବାକି ଅଛି। ରାସ୍ତା,ପାଶର୍‌ବ ସୁରକ୍ଷା ପାଚେରି ଏଷ୍ଟିମେଟ ଅନୁଯାୟୀ ହୋଇ ନ ଥିବାରୁ ବାରମ୍ବାର ପାଚେରି ଭାଙ୍ଗିବା ଏବଂ ଧସୁଥିବା ନେଇ ଅଭିଯୋଗ ହୋଇଛି। ଘଟଣାକ୍ରମେ ଶନିବାର ରାସ୍ତାର ସରସତିଆ ପେଟ୍ରୋଲ ପମ୍ପ ନିକଟରେ ୧୦୦ଫୁଟର ପାଚେରୀ ଧସିବା ଉକ୍ତ ରାସ୍ତାର ସ୍ଥାୟିତ୍ୱ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହା ବ୍ୟତୀତ ବାରାପୁର-ଧୋବାଗଡ଼ିଆ, କୁପାରୀ-ଶାରିଶୁଆ ରାସ୍ତା ମଧ୍ୟ ବେପରୁଆ ଢଙ୍ଗରେ ଚାଲୁଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ଯୋଗାଯୋଗ କରିବାରେ ସେ ପାଚେରି ଧସିବା ସ୍ଥାନକୁ ଯାଇ ଏହାର ତଦାରଖ କରିବେ ବୋଲି କହିଛନ୍ତି।