Categories: ଖେଳ

ସେମି ଲାଇନ୍‌ ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୭ା୬, (ବିଜୟ ରଣା): ଟିସିଏମ୍‌ ଓଡ଼ିଶା କ୍ରିକେଟ ଲିଗ୍‌ର ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ଓଡ଼ିଶା ଚିତାସ ଓ ଓଡ଼ିଶା ଲାୟନ୍ସ ମଧ୍ୟରେ ଖେଳାଯିବାକୁଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଓଡ଼ିଶା ଜାଗୁଆର୍ସ ଓ ଓଡ଼ିଶା ପାନ୍ଥର୍ସ ମଧ୍ୟରେ ଖେଳାଯିବ। ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଦୁଇଟି ଶେଷ ଲିଗ୍‌ ମ୍ୟାଚ୍‌ ସୋମବାର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା। ମେଘୁଆ ପାଗ ଯୋଗୁ ପ୍ରଥମ ମ୍ୟାଚକୁ ୮ ଓଭର ବିଶିଷ୍ଟ କରାଯାଇଥିଲା। ଏଥିରେ ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପାନ୍ଥର୍ସ ୮ ଓଭରରେ ୩ ଉଇକେଟ ବିନିମୟରେ ୫୧ ରନ କରିଥିଲା। ଦଳର ଟପ୍‌ ସ୍କୋର ଅମିତ ସାହୁ ସର୍ବାଧିକ ୨୯ ବଲ୍‌ରୁ ୪୫ ରନ କରଇଥିଲେ। ପପୁ ରୟ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଓଡ଼ିଶା ଜାଗୁଆର୍ସ ୭.୨ ଓଭରରେ ୬ ଉଇକେଟ ବିନିମୟରେ ୬୩ ରନ କରି ମ୍ୟାଚ ଜିତିନେଇଥିଲା। ପ୍ଲେୟର ଅଫ୍‌ ଦି ମ୍ୟାଚ ଆଶିଷ ପରିଜା ୧୧ ବଲ୍‌ରୁ ୨୭ ରନ କରିଥିବା ବେଳେ ଗୋବିନ୍ଦ ପୋଦାର ୧୦ ରନ କରିଥିଲେ। ବିପକ୍ଷ ଦଳର ଅଭିଶେକ ଯାଦବ ୨୨ ରନ ଦେଇ ୩ ଉଇକେଟ ନେଇଥିଲେ। ସୋମବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚଟି ୧୩ ଓଭର ବିଶିଷ୍ଟ କରାଯାଇଥିଲା। ଏଥିରେ ଓଡ଼ିଶା ଟାଇଗର୍ସ ୨ ରନରେ ବିଜୟୀ ହୋଇଥିଲା। ମ୍ୟାଚ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଟାଇଗର୍ସ ନିର୍ଦ୍ଧାରିତ ଓଭରରେ ୩ ଉଇକେଟ ହରାଇ ୧୩୨ ରନ କରିଥିଲା। ଶୁଭମ ଶତ୍ରୁଜିତ୍‌ ୫୨ ଓ ନରବିଶଙ୍କର ବାରିକ ୫୧ ରନ କରିଥିଲେ। ଓଡ଼ିଶା ପୁମାସ ନିର୍ଦ୍ଧାରିତ ଓଭରରେ ୭ଉଇକେଟ ବିନିମୟରେ ୧୩୦ରନ କରିପାରିଥିଲା। ଦଳ ତରଫରୁ ସ୍ବସ୍ତିକ ସାମଲ ୫୭ (୩୩) ଓ ପଙ୍କଜ ସେନାପତି ୪୩ (୨୮) ରନ କରଇଥିଲେ। ବିପକ୍ଷ ଦଳର ତଥା ପ୍ଲେୟର ଅଫ୍‌ ଦି ମ୍ୟାଚ ଜୟନ୍ତ ବେହେରା ୩ ଏବଂ ବି. ଶିବା ୨ ଉଇକେଟ ନେଇଥିଲେ।

Share