ମୁମ୍ବାଇ: ବୁଧବାର ଦେଶର ପୁଞ୍ଜିବଜାର କାରବାର ବେଶ୍ ଉନ୍ନତ ରହିଛି। ଏସିଆ ବଜାରର ସ୍ଥିତି ଭଲ ରହିବା ଯୋଗୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାରବାର ଊର୍ଦ୍ଧ୍ୱଗାମୀ ରହିଛି। ସେନ୍ସେକ୍ସରେ ଟେକ୍ନୋଲୋଜି, ଫାଇନାନ୍ସ ଏବଂ ଅଟୋମୋବାଇଲ ଶେୟାର କାରବାର ବେଶ୍ ଭଲ ରହିବା ଯୋଗୁ ସୂଚକାଙ୍କ ୫୧ ହଜାର ପଏଣ୍ଟ ଟପିଛି। ୩୦ ଶେୟାର ବିଶିଷ୍ଟ ସେନ୍ସେକ୍ସ ୩୭୯.୯୯ ପଏଣ୍ଟ (୦.୭୫%) ଊର୍ଦ୍ଧ୍ୱରେ ରହିବା ଯୋଗୁ ଏହା ୫୧.୦୧୭.୫୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ମାର୍ଚ୍ଚ ୧୦ ପରଠାରୁ ବଜାର ପ୍ରଭାବିତ ହୋଇଥିଲା। ଏହା ପୁଣିଥରେ ୫୧ ହଜାର ପଏଣ୍ଟ ସ୍ତର ହାସଲ କରିଛି। ଗତ ୪ ସେସନ ହେବ ଏନ୍ଏସ୍ଇ ନିଫ୍ଟି ଭଲ କାରବାର ହାସଲ କରୁଛି। ବୁଧବାର ଏଥିରେ ୯୩ ପଏଣ୍ଟ (୦.୧୭%) ବୃଦ୍ଧି ହେବା ଯୋଗୁ ୧୫,୩୦୧.୪୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେନ୍ସେକ୍ସରେ ବଜାଜ ଫିନ୍ସର୍ଭ ସବୁଠାରୁ ଭଲ କାରବାର ହାସଲ କରିଛି। ଏହାର ଶେୟାର ୪.୮୨% ବଢ଼ିଛି। ଏହାବାଦ ବଜାଜ ଫାଇନାନ୍ସ, ଇନ୍ଫୋସିସ୍, ମାରୁତି, ଏଚ୍ଡିଏଫ୍ସି,ଏଲ୍ ଆଣ୍ଡ ଟି, ଟେକ୍ ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଶେୟାର କାରବାର ଉନ୍ନତ ସ୍ଥିତିରେ ରହିଛି।