ନୂଆଦିଲ୍ଲୀ: ଗତ ୫ ସେସନ ଧରି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ବୃଦ୍ଧି ପରିଲକ୍ଷିତ ହୋଇଥିଲା। ହେଲେ ଗୁରୁବାର ସେନସେକ୍ସ ୧୪୪ ପଏଣ୍ଟ ହ୍ରାସ ହୋଇଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୪୩.୬୨ ପଏଣ୍ଟ (୦.୩୧%)ନିମ୍ନରେ ରହିବା ଯୋଗୁ ୪୫,୯୫୯.୮୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି) କାରବାର ୫୦.୮୦ ପଏଣ୍ଟ(୦.୩୮%) ନିମ୍ନରେ ରହି ୧୩,୪୭୮.୩୦ ସ୍ତରରେ ରହିଛି। ସେନ୍ସେକ୍ସରେ ଅଲ୍ଟ୍ରା ଟେକ୍ ସିମେଣ୍ଟର ଶେୟାର କାରବାର ସବୁଠାରୁ ପ୍ରଭାବିତ ହୋଇଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଚ୍ଡିଏଫ୍ସି ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର କାରବାର ମଧ୍ୟ ପ୍ରଭାବିତ ହୋଇଛି। ନେସଲେ ଇଣ୍ଡିଆ, ଆଇଟିସି ଏବଂ ହିନ୍ଦୁସ୍ତାନ ୟୁନିଲିଭର ଭଲ କାରବାର କରିଥିବା ଜଣାପଡିଛି। ପ୍ରଫିଟ୍ ବୁକିଂ ଯୋଗୁ ଶେୟାର କାରବାର ନିମ୍ନକୁ ଆସିଥିବା ଷ୍ଟକ ବଜାର ସୂତ୍ରରୁ ସୂଚନା ମିଳିଛି। ସାଂଘାଇ ଶେୟାର ବଜାର ଉନ୍ନତ ସ୍ଥିତିରେ ରହିଥିବା ବେଳେ ହଂକଂ, ଟୋକିଓ ଏବଂ ସିଇଓର ଶେୟାର ବଜାର ହ୍ରାସ ହୋଇଛି। ସେହିଭଳି ୟୁରୋପ ଷ୍ଟକ ଏକ୍ସଚେଞ୍ଜ ଦିନ ମଧ୍ୟରେ ଭଲ କାରବାର କରିଥିବା ନଜରକୁ ଆସିଥିଲା।