ଆହାର କେନ୍ଦ୍ରକୁ ଆଚାର ଯୋଗାଇବେ ଏସ୍‌ଏଚ୍‌ଜି

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ରାଜ୍ୟର ୧୬୬ ଆହାର କେନ୍ଦ୍ର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଦ୍ୱାରା ପରିଚାଳିତ ହେଉଛି। ପ୍ରତି ମିଲ୍‌ରେ ୧୦ ଗ୍ରାମର ଆଚାର ହିସାବରେ ପ୍ରତିଦିନ ୧ ମେଟ୍ରିକ୍‌ ଟନ୍‌ ଓ ବର୍ଷକୁ ପ୍ରାୟ ୩୦୦ ମେଟ୍ରିକ୍‌ ଟନ୍‌ ଆଚାରର ଆବଶ୍ୟକତା ପଡୁଛି। ଏଣିକି ସ୍ବୟଂ ସହାୟକ ଗୋଷ୍ଠୀମାନେ ଆଉ ଖୋଲାବଜାରରୁ ଆଚାର କିଣିବେ ନାହିଁ। ନିଜେ ଆଚାର ତିଆରି କରି ଏହି ଚାହିଦା ପୂରଣ କରିବେ। ମହିଳା ଉଦ୍ୟୋଗୀ ସୃଷ୍ଟି ସହ ଏହି ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ(ସୁଡ଼ା)ଙ୍କ ସହଯୋଗରେ ମିଶନ ଶକ୍ତି ୩ ଅତ୍ୟାଧୁନିକ ଆଚାର ଉଦ୍ୟୋଗ ସ୍ଥାପନ କରୁଛି। ବାରିପଦାର ମା’ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀ, ବ୍ରହ୍ମପୁରର ବିଘ୍ନେଶ୍ୱର-୨ ସ୍ବୟଂ ସହାୟକ ଗୋଷ୍ଠୀ ଓ ଢେଙ୍କାନାଳର ମହାସଙ୍ଗମ ମିଶନ ଶକ୍ତି ଆଞ୍ଚଳିକ ମହାସଂଘଙ୍କୁ ଏହି ତିନୋଟି ଉଦ୍ୟୋଗ ପରିଚାଳନା ପାଇଁ ଚୟନ କରାଯାଇଛି। ପ୍ରତ୍ୟେକ ୟୁନିଟ୍‌ ୧୦ଟି ଲେଖାଏ ଜିଲାର ଆହାର କେନ୍ଦ୍ରକୁ ଆଚାର ଯୋଗାଇବ।

ଆଚାର ପ୍ରସ୍ତୁତିର ବିବିଧ କୌଶଳ ଓ ଗୁଣବତ୍ତା ସୁନିଶ୍ଚିତ କରିବା ନିମନ୍ତେ ମିଶନ ଶକ୍ତି ବିଭାଗର ଉଦ୍ୟମରେ ଉକ୍ତ ୩ ଏସ୍‌ଏଚ୍‌ଜି ସହ ମହୀଶୂରସ୍ଥିତ କେନ୍ଦ୍ରୀୟ ଖାଦ୍ୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ (ସିଏଫ୍‌ଟିଆର୍‌ଆଇ)ର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଆଚାର ପ୍ରସ୍ତୁତି ପାଇଁ ଆବଶ୍ୟକ ଜ୍ଞାନକୌଶଳ ଏହି ପ୍ରତିଷ୍ଠାନ ଯୋଗାଇ ଦେବ। ପ୍ରତି ଉଦ୍ୟୋଗ ପାଇଁ ଜଣେ ଲେଖାଏ ଖାଦ୍ୟ ସୁରକ୍ଷା ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ଆଚାର ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ଯଥା-ଆମ୍ବ, ଲେମ୍ବୁ, ଗାଜର, ଅଦା, କଞ୍ଚାଲଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଏସ୍‌ଏଚ୍‌ଜିମାନେ ସଂଗ୍ରହ କରି ମହଜୁଦ ରଖିଛନ୍ତି। ଇତି ମଧ୍ୟରେ ସିଏଫ୍‌ଟିଆର୍‌ଆଇଠାରୁ ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ଅଣାଯାଇସାରିଛି। ୟୁନିଟ୍‌ଗୁଡ଼ିକ ଅଗଷ୍ଟ ୨୦୨୧ରେ ଉତ୍ପାଦନ ଆରମ୍ଭ କରିବେ। ପ୍ରତି ୧ କେଜି ଆଚାରର ଉତ୍ପାଦନ ଖର୍ଚ୍ଚ ୪୫ ଟଙ୍କା ହୋଇଥିବାବେଳେ କେଜି ପିଛା ୫୧ ଟଙ୍କାରେ ବିକ୍ରି କରିବାକୁ ସ୍ଥିର କରାଯାଇଛି। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗରେ ଉତ୍ପାଦନ ବୃଦ୍ଧି ପାଇଲେ ଖୋଲାବଜାରରେ ମଧ୍ୟ ଆଚାର ବିକ୍ରି କରାଯିବ। ଏହାଦ୍ୱାରା ଏସ୍‌ଏଚ୍‌ଜିଙ୍କ ଆୟ ବୃଦ୍ଧି ପାଇବ। ଏହି ବ୍ୟବସାୟିକ ଉଦ୍ୟୋଗକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ ବୈଷୟିକ ସହାୟତା ବ୍ୟବସ୍ଥାର ବିକାଶ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share